ଓଡ଼ିଶାରେ ପ୍ରଥମ: କର୍କଟ ଓ ବଂଶଗତ ରୋଗର ଚିକିତ୍ସାରେ ବିପ୍ଳବ, ସମ୍ ହସ୍ପିଟାଲରେ ପ୍ରତିଷ୍ଠା ହେଲା ଅତ୍ୟାଧୁନିକ ‘ଜିନୋମିକ୍ସ ଲ୍ୟାବ୍’
ଭୁବନେଶ୍ୱର: ଓଡ଼ିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯୋଡ଼ି ହୋଇଛି ଏକ ନୂଆ ଏବଂ ଐତିହାସିକ ସଫଳତା । କର୍କଟ (କ୍ୟାନ୍ସର) ଏବଂ ବଂଶଗତ ରୋଗର ସଠିକ୍ ଚିକିତ୍ସା ପାଇଁ ଆଇଏମ୍ଏସ୍ ଓ ସମ୍ ହସ୍ପିଟାଲ୍ ରାଜ୍ୟର ପ୍ରଥମ ଚିକିତ୍ସାଳୟ ଭାବେ ଏକ ଅତ୍ୟାଧୁନିକ ‘ଇନ୍-ହାଉସ୍ ଜିନୋମିକ୍ସ ଲ୍ୟାବ୍’ (Genomics Lab) ସ୍ଥାପନ କରିଛି । ଶିକ୍ଷା ‘ଓ’ ଅନୁସନ୍ଧାନ (SOA) ଦ୍ୱାରା ପରିଚାଳିତ ସମ୍ ହସ୍ପିଟାଲର ଏହି ପଦକ୍ଷେପ ଯୋଗୁଁ ଏଣିକି ଓଡ଼ିଶାର ରୋଗୀଙ୍କୁ ଜେନେଟିକ୍ ଏବଂ ମଲିକ୍ୟୁଲାର ପରୀକ୍ଷା ପାଇଁ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ ।
ଆଉ ବାହାର ରାଜ୍ୟ ଉପରେ ନିର୍ଭର କରିବେନି ଓଡ଼ିଶାବାସୀ
ହସ୍ପିଟାଲର ମଲିକ୍ୟୁଲାର ଡାଏଗ୍ନୋସିସ୍ ଆଣ୍ଡ ଜିନୋମିକ୍ସ ବିଭାଗର ମୁଖ୍ୟ ଡାକ୍ତର ଶିବାଙ୍ଗୀ ହାରଣଖେଡକରଙ୍କ କହିବା ଅନୁଯାୟୀ, ଏହି ନୂତନ ଲ୍ୟାବ୍ରେ ନେକ୍ସଟ ଜେନେରେସନ୍ ସିକ୍ୱେନ୍ସିଂ (NGS), ସାଇଟୋଜେନେଟିକ ଏବଂ ଫ୍ଲୁରେସେନ୍ସ ଇନ୍ ସିଟୁ ହାଇବ୍ରିଡାଇଜେସନ୍ (FISH) ଭଳି ଅତ୍ୟାଧୁନିକ ପରୀକ୍ଷା କରାଯାଉଛି । ପୂର୍ବରୁ ଓଡ଼ିଶାର ଲୋକମାନେ ଏସବୁ ଟେଷ୍ଟ ପାଇଁ ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ କିମ୍ବା ବେଙ୍ଗାଲୁରୁ ଉପରେ ନିର୍ଭର କରୁଥିଲେ, ଯାହାଫଳରେ ବହୁତ ସମୟ ଓ ପଇସା ଖର୍ଚ୍ଚ ହେଉଥିଲା । ଏବେ ଭୁବନେଶ୍ୱରରେ ଏହି ସୁବିଧା ମିଳିବା ଦ୍ୱାରା ରୋଗୀମାନେ ବହୁତ ଉପକୃତ ହେବେ ।
‘ପ୍ରିସିଜନ୍ ମେଡିସିନ୍’ ଯୁଗରେ ଓଡ଼ିଶା
ଡାକ୍ତର ହାରଣଖେଡକର କହିଛନ୍ତି ଯେ, “କର୍କଟ ରୋଗର ଚିକିତ୍ସା ଏବେ କେବଳ ମାଇକ୍ରୋସ୍କୋପ୍ ଚିତ୍ର ଉପରେ ସୀମିତ ନାହିଁ । ଜେନେଟିକ୍ ସୂଚନା ବା ଡିଏନ୍ଏ ବିଶ୍ଳେଷଣ ମାଧ୍ୟମରେ ରୋଗର ପ୍ରକୃତ କାରଣ ଜାଣି ବ୍ୟକ୍ତି କୈନ୍ଦ୍ରିକ ଚିକିତ୍ସା (Precision Medicine) ସମ୍ଭବ ହୋଇପାରୁଛି ।” ଏହି ଲ୍ୟାବ୍ କ୍ୟାନ୍ସର ସମେତ ରକ୍ତ ସମ୍ବନ୍ଧୀୟ ଏବଂ ଜନ୍ମଗତ ରୋଗର ସଠିକ୍ ଚିକିତ୍ସାରେ ବେଶ ସହାୟକ ହେବ ।
ଗବେଷଣା ସହ ଦୁର୍ଗମ ଅଞ୍ଚଳର ରୋଗୀଙ୍କୁ ମିଳିବ ସେବା
ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସୂଚନା ଦେଇଛନ୍ତି ଯେ, ଓଡ଼ିଶାର ଏକମାତ୍ର ମେଡିକାଲ କଲେଜ ଭାବେ ସମ୍ରେ ଏହି ପୂର୍ଣ୍ଣ କାର୍ଯ୍ୟକ୍ଷମ ଲ୍ୟାବ୍ ପ୍ରତିଷ୍ଠା ହୋଇଛି । ଏଠାକୁ ରାଜ୍ୟର କୋଣଅନୁକୋଣରୁ ନମୁନା (Samples) ଆସୁଥିବାରୁ ଦୁର୍ଗମ ଅଞ୍ଚଳର ଲୋକମାନେ ମଧ୍ୟ ଶୀଘ୍ର ରିପୋର୍ଟ ପାଇ ସ୍ୱଳ୍ପ ଖର୍ଚ୍ଚରେ ଚିକିତ୍ସିତ ହୋଇପାରୁଛନ୍ତି । ଏହାସହ ଡାକ୍ତରୀ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ପାଇଁ ମଧ୍ୟ ଏହା ଉଚ୍ଚକୋଟୀର ପ୍ରଶିକ୍ଷଣ କେନ୍ଦ୍ର ସାଜିଛି ।ଅତ୍ୟାଧୁନିକ ପିସିଆର, ସାଇଟୋଜେନେଟିକ୍ସ ଏବଂ ଅଣୁସ୍ତରୀୟ ପ୍ରଯୁକ୍ତିବିଦ୍ୟାକୁ ଏକାଠି କରି ସମ୍ ହସ୍ପିଟାଲ୍ ଓଡ଼ିଶାର ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି ।
