ପୁରୀ ୦୨।୦୭: ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ। ଆୟୁର୍ବେଦ ଚିକିତ୍ସାର ପ୍ରୟୋଗଶାଳା ପାଲଟିଛି ଶ୍ରୀମନ୍ଦିର। ସ୍ନାନଯାତ୍ରାରେ ପରିଧାନ କରିଥିବା ଓଦା ବସ୍ତ୍ର ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଫିଟା ଯିବା ନୀତି କରାଯାଉଛି।
ତେବେ ଜ୍ୱର ଯୋଗୁଁ ଛପନ ପଉଟି ଭୋଗ ଖାଉଥିବା ମହାପ୍ରଭୁଙ୍କୁ ନାନାଦି ଫଳମୂଳ ସହ କ୍ଷୀର, ଛେନା ଆଦିରେ ପ୍ରସ୍ତୁତ ଚକଟା ଭୋଗ ଲାଗି ହେଉଛି। ଅଣସର ପାଇଁ ମହାପ୍ରଭୁ ଶୁକ୍ଳ ବସ୍ତ୍ର ପରିଧାନ କରିଥିବା ବେଳେ କେବଳ ଶୁକ୍ଳ ଫୁଲ ଲାଗି ହେଉଛନ୍ତି। ବଡ଼ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ ଫୁଲୁରି ତେଲ ମହାପ୍ରଭୁଙ୍କ ଠାରେ ଲାଗି ହେବା ପରେ ଜ୍ବରରୁ ମହାପ୍ରଭୁ ସୁସ୍ଥତା ଅନୁଭବ କରିବେ।
ସେପଟେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଜୁଲାଇ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବାରୁ ତିନି ରଥର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭୋଇ ସେବକ ମାନେ ତିନି ରଥର ଦୁଆର ବେଢ଼ା ଉଠାଇବା ପାଇଁ ବାଉଁଶ ତେଣ୍ଟିଆ ପ୍ରସ୍ତୁତ କରି ରଥ ଉପରକୁ ଦୁଆର ବେଢ଼ା ଉଠାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି।
