Voice of Eastern India

ହେଲିକପ୍ଟରରୁ ତଳକୁ ଫିଙ୍ଗା ଯାଉଥିଲା ରିଲିଫ୍ ପ୍ୟାକେଟ୍, ମୁଣ୍ଡରେ ପଡ଼ି ଚାଲିଗଲା ଜଣଙ୍କ ଜୀବନ


ନୂଆଦିଲ୍ଲୀ: ବିହାରରେ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ପାଣି ଘେରରେ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । ଲୋକଙ୍କ ପାଖରେ ଖାଦ୍ୟ ପାନୀୟ ପହଞ୍ଚାଇବା ପାଇଁ ଉଦ୍ଧାରକାରୀ ଦଳକୁ ସଂଘର୍ଷ କରିବାକୁ ପଡ଼ୁଛି । ହେଲିକପ୍ଟର ସାହାଯ୍ୟରେ ରିଲିଫ୍ ପହଞ୍ଚାଯାଉଛି । ଆକାଶ ମାର୍ଗକୁ ଖାଦ୍ୟ ପୁଡ଼ିଆ ଦିଆଯାଉଛି । ପେଟର ଭୋକକୁ ମାରିବା ପାଇଁ ଉପରୁ ପଡ଼ୁଥିବା ରିଲିଫି ସାମଗ୍ରୀକୁ ଆତୁର ହୋଇ ଚାହିଁ ରହିଛନ୍ତି ବନ୍ୟା ବିପନ୍ନ । କିନ୍ତୁ ଏହି ସହାୟତା ପହଞ୍ଚାଇବା ବେଳେ ଏକ ଅଘଟଣ ଘଟି ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି । ବନ୍ୟା ପ୍ରଭାବିତ ସାରଣ ଜିଲ୍ଲାରେ ହେଲିକପ୍ଟରରୁ ପକାଯାଇଥିବା ରିଲିଫ୍ ସାମଗ୍ରୀ ମୁଣ୍ଡରେ ବାଜି ଜଣେ ୫୮ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଅଧିକାରୀମାନେ କହିଛନ୍ତି ।

ଏହି ଘଟଣାଟି ଅମନୌର ପୋଲିସ ଷ୍ଟେସନ ଅନ୍ତର୍ଗତ ପର୍ଶୁରାମପୁର ଗ୍ରାମର ଏକ ରିଲିଫ୍ କ୍ୟାମ୍ପ ନିକଟରେ ଘଟିଛି । ମୃତ ବ୍ୟକ୍ତିଜଣକ ସେହି ଗାଁ ଅନିଲ କୁମାର ସିଂହ ବୋଲି ଚିହ୍ନଟ ହୋଇଛନ୍ତି । ମଢ଼ୌରା ଏସଡିପିଓ ସବିନ୍ଦ୍ର କୁମାର ଦାସ କହିଛନ୍ତି, “ପ୍ରାଥମିକ ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟା ୩୦ ସମୟରେ ହେଲିକପ୍ଟରରୁ ପକାଯାଇଥିବା ଏକ ରିଲିଫ୍ ସାମଗ୍ରୀ ପ୍ୟାକେଟ୍ ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ବାଜିଥିଲା, ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଛି ।”

ଶବକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଯାଇଛି ଏବଂ ପୋଲିସ ଅଧିକ ତଦନ୍ତ ଚଳାଇଛି ବୋଲି ସେ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, “ମୃତ୍ୟୁର ପ୍ରକୃତ କାରଣ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ହିଁ ସ୍ପଷ୍ଟ ହୋଇପାରିବ ।”

ଅମନୌର ପୋଲିସ ଷ୍ଟେସନ ଏସଏଚଓ ବିମଲେଶ କୁମାର ମଧ୍ୟ ଗ୍ରାମବାସୀଙ୍କ ଅଭିଯୋଗକୁ ଉଲ୍ଲେଖ କରି କହିଛନ୍ତି ଯେ ରିଲିଫ୍ ପ୍ୟାକେଟ୍ ବାଜିବାରୁ ବ୍ୟକ୍ତିଜଣଙ୍କର ମୃତ୍ୟୁ ଘଟିଛି । କିନ୍ତୁ ତାଙ୍କ ମୁଣ୍ଡ କିମ୍ବା ଶରୀରର ଅନ୍ୟ କୌଣସି ଅଂଶରେ କୌଣସି ଆଘାତ ଚିହ୍ନ ମିଳିନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଅନ୍ୟ ଏକ ଘଟଣାର ଉଲ୍ଲେଖ କରି ସେ କହିଛନ୍ତି ଯେ କମ୍ ଉଚ୍ଚତାରେ ଉଡ଼ୁଥିବା ଏକ ହେଲିକପ୍ଟର ଯୋଗୁ ଏକ ଟିଣ ଛପର ଉଡ଼ିଯାଇ ଜଣେ ମହିଳାଙ୍କ ଗୋଡ଼ରେ ବାଜିଥିଲା, ଯାହାଦ୍ୱାରା ସେ ସାମାନ୍ୟ ଆହାତ ହୋଇଥିଲେ । ମହିଳାଙ୍କ ଚିକିତ୍ସା ଚାଲିଛି ଏବଂ ସେ ସୁସ୍ଥ ଅଛନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି ।

Source link



Source link

Leave A Reply

Your email address will not be published.