ନୂଆଦିଲ୍ଲୀ: ୟୁକ୍ରେନର ଓଡେସା (Odesa) ବନ୍ଦର ନିକଟରେ ସାମରିକ ସାମଗ୍ରୀ ନେଇ ଯାଉଥିବା ଏକ ଜାହାଜ ଉପରେ ମିସାଇଲ ମାଡ଼ କରିଛି ରୁଷ । ଏହାର ଜବାବରେ ୟୁକ୍ରେନ ରୁଷର ଏକ ପ୍ରମୁଖ ତୈଳ ବିଶୋଧନାଗାର ଧ୍ବଂସ କରିଛି ।ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ସଂକ୍ଷିପ୍ତ ବିବୃତ୍ତି ଅନୁଯାୟୀ, କୃଷ୍ଣ ସାଗରରେ ୟୁକ୍ରେନ୍ ସେନାକୁ ସାମରିକ ସରଞ୍ଜାମ ଯୋଗାଉଥିବା ଏକ ଜାହାଜକୁ ରୁଷୀୟ ସେନା ମିସାଇଲ ମାଡ଼ କରି ଧ୍ବଂସ କରିଦେଇଛି। ତେବେ ଏହି ଜାହାଜର ନାମ, କିମ୍ବା କ୍ଷୟକ୍ଷତିର ପରିମାଣ ବିଷୟରେ ରୁଷ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ। ୟୁକ୍ରେନ୍ ମଧ୍ୟ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନାହିଁ।
ଅନ୍ୟପଟେ ୟୁକ୍ରେନ୍ ସେନା ଦାବି କରିଛି ଯେ, ରାତାରାତି ରୁଷର ଭୋଲଗୋଗ୍ରାଡ୍ତୈଳ ବିଶୋଧନାଗାର ଉପରେ ଆକ୍ରମଣ କରିଛି । ଫଳରେ ସେଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଟେଲିଗ୍ରାମ୍ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ବିଶୋଧନାଗାରର ବାର୍ଷିକ ୧୫ ନିୟୁତ ଟନ୍ ତୈଳ ବିଶୋଧନ କରିବାର କ୍ଷମତା ରହିଛି। ୟୁକ୍ରେନ୍ର ସୁରକ୍ଷା ସେବା (SBU) ଅନୁସାରେ, କେର୍ଚ ଷ୍ଟ୍ରେଟ୍ ନିକଟସ୍ଥ ରୁଷର ତାମାନ ବନ୍ଦରର କୋଠାବାଡ଼ି ଓ ସାମରିକ ଭିତ୍ତିଭୂମିକୁ ମଧ୍ୟ ଟାର୍ଗେଟ କରାଯାଇଛି।
ଗତ କିଛି ଦିନ ହେବ କୃଷ୍ଣ ସାଗର ଏବଂ ଆଜୋଭ୍ ସାଗର ଅଞ୍ଚଳରେ ସାମରିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଉଭୟ ଦେଶ ପରଷ୍ପରର ଯୋଗାଣ ବ୍ୟବସ୍ଥା ଏବଂ ବନ୍ଦର ଉପରେ ଆକ୍ରମଣ କରୁଛନ୍ତି। ଚଳିତ ସପ୍ତାହ ଆମ୍ଭରେ ରୁଷ ମଧ୍ୟ ମାଇକୋଲେଭ୍ ବନ୍ଦର ଏବଂ ଓଡେସାରେ ଲାଗୁ ଥିବା ମାଲବାହୀ ଜାହାଜଗୁଡ଼ିକ ଉପରେ ଡ୍ରୋନ୍ ଆକ୍ରମଣ କରିଥିବା ଦାବି କରିଥିଲା।
କେବଳ ସମୁଦ୍ରରେ ନୁହେଁ, ରୁଷର ଭୂଖଣ୍ଡ ଭିତରେ ମଧ୍ୟ ୟୁକ୍ରେନ୍ ଆକ୍ରମଣ ଜାରି ରଖିଛି। ଜୁଲାଇ ମଧ୍ୟଭାଗରୁ, ୟୁକ୍ରେନ୍ ରୁଷର ସବୁଠାରୁ ବଡ଼ ଅନଲାଇନ୍ ବ୍ୟବସାୟୀ ପ୍ରତିଷ୍ଠାନ ୱାଇଲ୍ଡବେରିଜର ଗୋଦାମଗୁଡ଼ିକୁ ବାରମ୍ବାର ଆକ୍ରମଣ କରୁଛି । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଅଭିଯୋଗ ଅନୁଯାୟୀ, ରୁଷ ସେନା ଏହି ବ୍ୟବସାୟିକ ଗୋଦାମଗୁଡ଼ିକୁ ଡ୍ରୋନ୍ ଏବଂ ନାଭିଗେସନ୍ ସରଞ୍ଜାମ ଗଚ୍ଛିତ ରଖିବା ପାଇଁ ବ୍ୟବହାର କରୁଛି। ତେବେ ୱାଇଲ୍ଡବେରିଜ୍ କମ୍ପାନୀ ଏବଂ କ୍ରେମଲିନ୍ ଏହି ଅଭିଯୋଗକୁ ଖଣ୍ଡନ କରିଛି ।
