Voice of Eastern India

୨୦୧୪ ସ୍ୱାଧୀନତା ଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ରଖିଥିଲେ ଏହିଦାବି, ପୂରଣ କରିବାକୁ ବାଧ୍ୟ ହୋଇଥିଲେ ପ୍ରତିରକ୍ଷା ସଚିବ


ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ୨୦୧୪ ମସିହାରେ ପ୍ରଥମ ଥର ନିର୍ବାଚିତ ହୋଇ ଆସିଥିଲେ ସେତେବେଳେ ୧୫ ଅଗଷ୍ଟ ଅବସରରେ ଭାଷଣ ପୂର୍ବରୁ ଏକ ଦାବି ରଖିଥିଲେ। ତତ୍କାଳୀନ ପ୍ରତିରକ୍ଷା ସଚିବ ଆର.କେ.ମାଥୁର ପ୍ରଧାନମନ୍ତ୍ରୀଙ୍କ ସେହି ଦାବି ସମ୍ପର୍କରେ କହିଛନ୍ତି। ପୂର୍ବତନ ପ୍ରତିରକ୍ଷା ସଚିବ ମନେ ପକାଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ସ୍ୱାଧୀନତା ଦିବସ ଭାଷଣ ପୂର୍ବରୁ ମୋଦି ଲାଲକିଲାରୁ ବୁଲେଟ ପ୍ରୁଫ ଗ୍ଲାସ୍ ହଟାଇବାକୁ ଦାବି କରିଥିଲେ। ନଚେତ ସେ ଭାଷଣ ଦେବେନି ବୋଲି କହିଥିଲେ।

ଆର.କେ.ମାଥୁର ଏହି ଘଟଣା ସମ୍ପର୍କରେ କହିଛନ୍ତି ଯେ ସେ ଓ ଇଣ୍ଟେଲିଜେନ୍ସୀ ବ୍ୟୁରୋ (ଆଇବି)ର ତତ୍କାଳୀନ ନିର୍ଦ୍ଦେଶକ ୧୫ ଅଗଷ୍ଟ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେବାକୁ ଯାଇଥିଲେ। ଏଥିରେ ଅଧିକାରୀମାନେ ଖାସ କରି ପ୍ରଧାନମନ୍ତ୍ରୀଙ୍କୁ ବୁଲେଟ ପ୍ରୁଫ ଗ୍ଲାସ୍ ବ୍ୟାରିୟର ସମ୍ପର୍କରେ ଆଲୋଚନା କରିଥିଲେ। ଯେହେତୁ ଏହା ମୋଦିଙ୍କ ପ୍ରଥମ ସ୍ୱାଧୀନତା ଦିବସ ଭାଷଣ ତେଣୁ ସୁରକ୍ଷାର ସବୁ ପ୍ରବନ୍ଧ କରାଯାଇଥିଲା। ତେବେ ବୁଲେଟ ପ୍ରୁଫ ଗ୍ଲାସ୍ ବ୍ୟାରିୟକୁ ନେଇ ମୋଦି ଚିନ୍ତାରେ ପଡି ଯାଇଥିଲେ ଓ ଏହି ଗ୍ଲାସ୍ ରହିଲେ ମୁଁ ଜନତାଙ୍କୁ ସମ୍ବୋଧନ କରିପାରିବିନି ବୋଲି କହିଥିଲେ।

ମାଥୁର କହିଛନ୍ତି ଯେ ଆମ ପକ୍ଷରୁ ଏହା ସୁରକ୍ଷାର ପ୍ରସଙ୍ଗ ଥିଲା। କାରଣ ଲାଲକିଲାରୁ ପୁରା ଚାନ୍ଦିନୀଚୌକ ଅଞ୍ଚଳ ଦେଖାଯାଏ ମଝିରେ କୌଣସି ଅବରୋଧକ ନାହିଁ ଓ ଅନେକ ବିଲ୍ଡିଂ ଅଛି। ଏଣୁ ସୁରକ୍ଷା ଦୃଷ୍ଟିରୁ ଆମେ ପ୍ରଧାନମନ୍ତ୍ରୀଙ୍କୁ ଏ ବିଷୟରେ ପୁଣି ଥରେ ଚିନ୍ତା କରିବାକୁ କହିଥିଲୁ। ତେବେ ମୋଦି ସ୍ପଷ୍ଟ ଭାବେ କହିଥିଲେ ଯେ ଯଦି ବୁଲେଟପ୍ରୁଫ ସିଲ୍ଡ ନ ହଟେ ସେ ଆଦୌ ଭାଷଣ ଦେବେ ନାହିଁ। ଏହି କାରଣରୁ ମୁଁ ଓ ଆଇବି ନିର୍ଦ୍ଦେଶକ ଆମ ଉଦ୍ଦେଶ୍ୟ ବଦଳାଇ ଏହି ସିଲ୍ଡ ହଟାଇବାକୁ ନିଷ୍ପତ୍ତି ନେଇଥିଲୁ ଓ ୧୪ ଏବଂ ୧୫ ଅଗଷ୍ଟ ମଝି ରାତିରେ ପାଖାପାଖି ୨ଟା ବେଳେ ଏହି ଗ୍ଲାସ୍ କୁ ହଟା ଯାଇଥିଲା।

ସେବେଠାରୁ ଆଉ କେବେ ମୋଦିଙ୍କ ସ୍ୱାଧୀନତା ଦିବସ ଭାଷଣରେ ଏହି ବୁଲେଟ ପ୍ରୁଫ ସିଲ୍ଡ ବାଧକ ହୋଇ ରହି ନାହିଁ। ମୋଦି ଏବେବି ଖୋଲା ମଞ୍ଚରୁ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି। ୧୫ ଅଗଷ୍ଟ ଶନିବାର ମଧ୍ୟ ପ୍ରଧାନମନ୍ତ୍ରୀ ନିର୍ଦ୍ଧାରିତ ସୁରକ୍ଷା ପ୍ରୋଟକଲରୁ ହଟି ଭାଷଣ ଦେଇଛନ୍ତି। ଭାଷଣ ପରେ ପ୍ରଧାନମନ୍ତ୍ରୀ ସ୍କୁଲ ଛାତ୍ରଛାତ୍ରୀ, ଏନସିସି କ୍ୟାଡେଟ ଓ ମାଇଁ ଭାରତ ଭଲେଣ୍ଟିୟରଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସବୁଥର ଭଳି ଏଥର ମଧ୍ୟ ଭାଷଣ ପରେ ପିଲାଙ୍କୁ ଭେଟିବାକୁ ଯାଇଥିଲେ। କଥାବାର୍ତ୍ତା କାଳରେ ଏକ ଛୋଟ ଝିଅ ନଇଁକି ତାଙ୍କୁ ପ୍ରଣାମ କରିବା ବେଳେ ତା ମୁଣ୍ଡରୁ ଟୋପି ପଡି ଯାଇଥିଲା। ନିଜେ ପ୍ରଧାନମନ୍ତ୍ରୀ ଟୋପି ଉଠାଇ ଝିଅ ମୁଣ୍ଡରେ ପିନ୍ଧାଇ ଦେଇଥିଲେ। ଏହି ଘଟଣା ଆଖପାଖରେ ଥିବା ପିଲା ଓ ଲୋକଙ୍କ ମୁହଁରେ ହସ ଖେଳାଇ ଦେଇଥିଲା ଓ ଲୋକେ ତାଳି ବଜାଇଛନ୍ତି।

Source link



Source link

Leave A Reply

Your email address will not be published.