Voice of Eastern India

୪୬ତମ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ! ସେମିକଣ୍ଡକ୍ଟରରୁ ଶିଶୁଙ୍କ ପାଇଁ ଘୋଷଣା


ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ୪୬ତମ ରାଜ୍ୟ କ୍ୟାବିନେଟ୍ ବୈଠକରେ ୬ଟି ବିଭାଗର ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଶିଳ୍ପ, ନବୀକରଣଯୋଗ୍ୟ ଶକ୍ତି, ଇ-ଶାସନ, ସେଚନ ଏବଂ ମହିଳା-ଶିଶୁ କଲ୍ୟାଣ କ୍ଷେତ୍ରକୁ ନେଇ ଏକାଧିକ ବଡ଼ ନିଷ୍ପତ୍ତି ନିଆଯାଇଛି।

ବୈଠକରେ ରାଜ୍ୟର ସେମିକଣ୍ଡକ୍ଟର ନୀତିରେ ସଂଶୋଧନ କରି ଯନ୍ତ୍ରପାତି, କେମିକାଲ୍, ଗବେଷଣା ଓ ବିକାଶ (R&D), ଟାଲେଣ୍ଟ ଡେଭେଲପମେଣ୍ଟ ଏବଂ ଗ୍ଲୋବାଲ୍ ସପ୍ଲାଇ ଚେନକୁ ନୀତିର ପରିସରରେ ସାମିଲ କରାଯାଇଛି। ଏହା ଫଳରେ ଓଡ଼ିଶାରେ ସେମିକଣ୍ଡକ୍ଟର ଶିଳ୍ପର ଏକ ସୁଦୃଢ଼ ଇକୋସିଷ୍ଟମ୍ ବିକାଶ ପାଇବା ସହ ନିବେଶ ଓ ନିଯୁକ୍ତିର ସୁଯୋଗ ବଢ଼ିବାର ଆଶା ରହିଛି।

ସବୁଜ ଶକ୍ତିକୁ ପ୍ରୋତ୍ସାହନ

ଓଡ଼ିଶା ନବୀକରଣଯୋଗ୍ୟ ଶକ୍ତି ନୀତିରେ ମଧ୍ୟ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଏହା ଅଧୀନରେ Battery Energy Storage System (BESS), ୱିଣ୍ଡ ପାର୍କ, ସ୍ମଲ୍ ହାଇଡ୍ରୋ ପ୍ରକଳ୍ପ ଏବଂ କ୍ୟାପ୍ଟିଭ୍ ରିନ୍ୟୁଏବଲ୍ ଏନର୍ଜି ପ୍ରକଳ୍ପକୁ ପ୍ରୋତ୍ସାହନ ଦିଆଯିବ। ସେହିପରି Pumped Storage Project ନୀତିରେ ମଧ୍ୟ ସଂଶୋଧନ କରାଯାଇଛି। ଏହା ରାଜ୍ୟର ଶକ୍ତି ସଂରକ୍ଷଣ କ୍ଷମତା ବଢ଼ାଇବାରେ ସହାୟକ ହେବ।

Also Read: ବଦଳୁଛି ହାତୀଙ୍କ ରୁଚି, ସରକାର ନେଲେ ବଡ଼ ନିଷ୍ପତ୍ତି

OSWAS 3.0କୁ ମଞ୍ଜୁରୀ

ଇ-ଶାସନ ବ୍ୟବସ୍ଥାକୁ ଆହୁରି ଦକ୍ଷ କରିବା ପାଇଁ ଓଡ଼ିଶା ସେକ୍ରେଟାରୀଏଟ ଓ୍ବାର୍କଫ୍ଲୋ ଅଟୋମେସନ ସିଷ୍ଟମ (OSWAS) 3.0କୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଏହା ମାଧ୍ୟମରେ ସରକାରୀ କାର୍ଯ୍ୟାଳୟରେ ଡିଜିଟାଲ୍ ଫାଇଲ୍ ପରିଚାଳନା, ଅନଲାଇନ୍ ଅନୁମୋଦନ ଏବଂ ଶୀଘ୍ର ସେବା ପ୍ରଦାନ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ।

ଜଳ ସେଚନ ପାଇଁ ୧୨,୮୪୭ କୋଟିରୁ ଅଧିକ

ଜଳ ସମ୍ପଦ ବିଭାଗର ଦୁଇଟି ବଡ଼ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ପାର୍ବତୀଗିରି ମେଗା ଲିଫ୍ଟ ଇରିଗେସନ୍ ପ୍ରକଳ୍ପର ଫେଜ୍-୩ ଅଧୀନରେ ୧୬୧ଟି ନୂଆ ପ୍ରକଳ୍ପ ପାଇଁ ୧୨,୪୫୮ କୋଟି ଟଙ୍କା ବ୍ୟୟ ହେବ। ଏହା ଦ୍ୱାରା ୨.୬୨ ଲକ୍ଷ ହେକ୍ଟର ଜମିକୁ ସେଚନ ସୁବିଧା ମିଳିବ ଏବଂ ପ୍ରାୟ ୭ ଲକ୍ଷ ଚାଷୀ ଉପକୃତ ହେବେ।

ସେହିପରି ‘Improvement to Tanks & MIPs’ ଯୋଜନା ଅଧୀନରେ ୬୮୦ଟି ପ୍ରକଳ୍ପ ପାଇଁ ୩୮୯ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହା ମାଧ୍ୟମରେ ୧୫,୭୦୦ ହେକ୍ଟର ସେଚନ କ୍ଷମତା ପୁନରୁଦ୍ଧାର ହେବା ସହ ୪୮.୫ MCM ଜଳ ସଂରକ୍ଷଣ କ୍ଷମତା ବଢ଼ିବ।

‘ଯଶୋଦା-ଆଶୀର୍ବାଦ’କୁ ଆଉ ୫ ବର୍ଷ

ଅନାଥ, ଅସହାୟ ଏବଂ କୋଭିଡ୍-୧୯ ମହାମାରୀରେ ପିତାମାତାଙ୍କୁ ହରାଇଥିବା ଶିଶୁଙ୍କ ପାଇଁ ‘ଯଶୋଦା-ଆଶୀର୍ବାଦ’ ଯୋଜନାକୁ ଆଉ ୫ ବର୍ଷ ବଢ଼ାଇବାକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଏଥିପାଇଁ ୨୯୬.୯୯ କୋଟି ଟଙ୍କାର ବ୍ୟୟବରାଦ ରହିଛି।

‘ମାଳତୀ ଦେବୀ ପରିଧାନ’ ଯୋଜନା

ପ୍ରାକ୍-ବିଦ୍ୟାଳୟ ଶିଶୁଙ୍କ ପାଇଁ ‘ମାଳତୀ ଦେବୀ ପରିଧାନ ଯୋଜନା’କୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ୩ରୁ ୬ ବର୍ଷ ବୟସର ୧୪.୭୬ ଲକ୍ଷ ଶିଶୁଙ୍କୁ ୟୁନିଫର୍ମ, ଜୋତା, ମୋଜା ଏବଂ ବ୍ୟାଗ୍ ଯୋଗାଇବା ପାଇଁ ୫୮୬.୫୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

Source link



Source link

Leave A Reply

Your email address will not be published.