ନୂଆଦିଲ୍ଲୀ, ୩୦/୦୯ : ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ବୁଧବାର ଖେଳାଯିବ ଦ୍ବିତୀୟ ଦିନିକିଆIପ୍ରଥମ ମ୍ୟାଚ ଜିତି ସାରିଥିବା ଭାରତୀୟ ଦଳ ସିରିଜ କବଜା କରିବାକୁ ପ୍ରୟାସ କରିବ। ୱେଷ୍ଟ୍ ଇଣ୍ଡିଜ ପାଇଁ ଏହା‘କର ବା ମର’ମ୍ୟାଚ୍ ରହିବ। ଗୌହାଟୀରେ ବିଜୟ ସହ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଭ୍ରମଣକାରୀ ୱେଷ୍ଟ ଇଣ୍ଡିଜ ସବୁ ଶକ୍ତି ଲଗାଇବାକୁ ପ୍ରସ୍ତୁତ। ଫଳରେ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବ।
ଦକ୍ଷତା ଓ ପୂର୍ବ ପ୍ରଦର୍ଶନକୁ ବିଚାରକୁ ନେଲେ ଭାରତର ପଲା ଭାରି ରହିବା ନିଶ୍ଚିତ । ୱେଷ୍ଟ ଇଣ୍ଡିଜ୍ ବିପକ୍ଷରେ ଭାରତ ଖେଳିଥିବା ଶେଷ ୧୨ଟି ମ୍ୟାଚରୁ ୧୧ଟିରେ ବିଜୟ ହାସଲ କରି ସାରିଛି। ଭାରତକୁ ହରାଇବାର କ୍ଷମତା ୱେଷ୍ଟ ଇଣ୍ଡିଜ୍ ନିକଟରେ ରହିଛି। ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜ ଉନ୍ନତ ବ୍ୟାଟିଂ କରିଥିଲା। ମାତ୍ର ବୋଲିଂରେ ନିରାଶ କରିବା ଯୋଗୁଁ ଭାରତ ୮ ଓଭର ବାକି ଥାଇ ସହଜ ବିଜୟ ହାସଲ କରିଥିଲା । ଏଥର ବୋଲିଂ ବିଭାଗର ତ୍ରୁଟି ସୁଧାରି ୱେଷ୍ଟ ଇଣ୍ଡିଜ ଗ୍ରାଉଣ୍ଡକୁ ଓହ୍ଲାଇବ।
Also Read :- ବିମଲ ବିଜ୍ଞାପନ ମାମଲାରେ ଶାହରୁଖ, ଅଜୟ ଓ ଟାଇଗରଙ୍କ ଜବାବ ପରେ ବଢ଼ିଲା FDA କାର୍ଯ୍ୟାନୁଷ୍ଠାନ
ପ୍ରଥମ ମ୍ୟାଚରେ ୪ଟି ୱିକେଟ୍ ନେଇ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିବା କୁଲଦୀପ ଯାଦବ ଏକ ରେକର୍ଡ କରିବାର ସୁଯୋଗ ରହିଛି। ଆଜି ସେ ୨ଟି ୱିକେଟ୍ ନେଲେ ଭାରତର ନବମ ବୋଲର ଭାବେ ଦିନିକିଆରେ ୨୦୦ ୱିକେଟ୍ ପୂରଣ କରିବେ। ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଥୁରୁଅନନ୍ତପୁରମରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ସେ ଶତକ ଅର୍ଜନ କରି ଦଳକୁ ଜିତାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଆସାମରେ ମଧ୍ୟ କୋହଲି ୨ଟି ମ୍ୟାଚ୍ ଖେଳି ଉଭୟରେ ଶତକ ଅର୍ଜନ କରିବା ସହ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି। ରୋହିତ ଶର୍ମାଙ୍କ ନାମରେ ମଧ୍ୟ ଏକ ରେକର୍ଡ ଯୋଡ଼ି ହେବାର ସୁଯୋଗ ରହିଛି। ସେ ୭୩ ରନ୍ କଲେ ବିଶ୍ଵର ସପ୍ତମ ଓ ଭାରତର ତୃତୀୟ ବ୍ୟାଟର ଭାବେ ଦିନିକିଆରେ ୧୨,୦୦୦ ରନ ପୂରଣ କରିବେ।
ଅଲ୍ ରାଉଣ୍ଡର ସେରଫାନ ରଦରଫୋର୍ଡ ବ୍ୟକ୍ତିଗତ କାରଣରୁ ବିଳମ୍ବରେ ଭାରତ ଆସିଥିବାରୁ ପ୍ରଥମ ମ୍ୟାଚ ଖେଳିପାରି ନଥିଲେ। ଆଜି ସେ ଏକାଦଶକୁ ଫେରିବାର ସମ୍ଭାବନା ରହିଛି। ଏହା ସମ୍ଭବ ହେଲେ ଜୁଏଲ ଆଣ୍ଡ୍ରି ଏକାଦଶରୁ ବାଦ ପଡ଼ିବେ।
ଭାରତ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ୩ଜଣ ଅଲରାଉଣ୍ଡର ନେଇ ଖେଳିବା ଯୋଜନାରେ ରହିଥିବାରୁ ନମନ ଧିର ଏକାଦଶରେ ସ୍ଥାନ ବଜାୟ ରଖିବେ। ଫଳରେ ପେସ୍ ବୋଲର ମହମ୍ମଦ ସିରାଜଙ୍କୁ ଆଉ ଏକ ମ୍ୟାଚରୁ ବିଶ୍ରାମ ମିଳିବ।
