ନୂଆଦିଲ୍ଲୀ,୧୩|୦୬:ଡାଟା ସେଣ୍ଟର ପାଣି ଓ ବିଜୁଳି ଉଭୟର ବ୍ୟାପକ ଉପଯୋଗ କରୁଛନ୍ତି। ଏହା ଏବେ ବିଶ୍ୱ ପାଇଁ ବଡ଼ ଚିନ୍ତାର ବିଷୟ ହୋଇଛି। ଆମାଜନ୍ ଚାହେଁ, ଲୋକେ ଜାଣନ୍ତୁ ଯେ ଏହାର ଡାଟା ସେଣ୍ଟର ଏ ମାମଲାରେ କେତେ ଦକ୍ଷ। କମ୍ପାନି ସ୍ପଷ୍ଟ କରିଛି, ୨୦୨୫ରେ ଏହାର ବୈଶ୍ୱିକ ଡାଟା ସେଣ୍ଟର ପରିଚାଳନାରେ ହାରାହାରି ୨୫୦ କୋଟି ଗ୍ୟାଲନ୍ ଅର୍ଥାତ୍ ୯୦୦ କୋଟି ଲିଟରରୁ ଅଧିକ ପାଣି ଖର୍ଚ୍ଚ ହୋଇଛି।
ପ୍ରଥମ ଥର ଆମାଜନ୍ ଏହି ତଥ୍ୟ ସାର୍ବଜନୀନ କରିଛି। ତେବେ ୯୦୦ କୋଟି ଲିଟର ପାଣି ଏକ ବହୁତ ବଡ଼ ମାତ୍ରା । କିନ୍ତୁ ଆମାଜନ୍ର ଦାବି, ଏହା ସିଧାସଳଖ ପରିଚାଳନା କରୁଥିବା ସ୍ଥାନଗୁଡ଼ିକରେ ଜଳର ଉପଯୋଗ ୨୦୨୪ ତୁଳନାରେ ୨ ପ୍ରତିଶତ କମିଛି। ଏହି ହାର ସହିତ ନିଜର ଡାଟା ସେଣ୍ଟର୍ ପରିସରକୁ ମଧ୍ୟ ବଢ଼ାଇଛି। ଏଆଇ ଯୋଗୁ ପରିବେଶ ଉପରେ ପଡ଼ୁଥିବା ପ୍ରଭାବକୁ ନେଇ ଡାଟା ସେଣ୍ଟର ଚଳାଉଥିବା କମ୍ପାନିଗୁଡ଼ିକ ଉପରେ ଯାଞ୍ଚ କଡ଼ାକଡ଼ି ହେଉଥିବା ବେଳେ ଆମାଜନ୍ ନିଜ ବ୍ଲଗ୍ ପୋଷ୍ଟରେ ଏହି ତଥ୍ୟ ଶେୟାର କରିଛି।
କମ୍ପାନୀ ପୋଷ୍ଟରେ ଏକ ତାଲିକା ଶେୟାର କରିଛି, ଯେଉଁଥିରେ ପାଣି ଉପଯୋଗର ତଥ୍ୟର ତୁଳନା ପ୍ରତିଯୋଗିତା ସହ କରାଯାଇଛି। ତାଲିକା ଅନୁସାରେ, ୨୦୨୫ରେ ଆମାଜନ୍ ଡାଟା ସେଣ୍ଟର ପ୍ରତି କିଲୋୱାଟ/ ଘଣ୍ଟା ବିଜୁଳି ପାଇଁ ୦.୧୨ ଲିଟର ପାଣି ବ୍ୟବହାର କରିଛି, ଯାହା ଗୁଗଲ୍, ମାଇକ୍ରୋସଫ୍ଟ ଓ ମେଟା ଭଳି କମ୍ପାନି ତୁଳନାରେ ସବୁଠୁ କମ୍ । ତାଲିକାରେ ପ୍ରଦର୍ଶିତ ଗୁଗଲର ସଂଖ୍ୟା କେବଳ ଜେମିନି ଏଆଇ ଡାଟା ସେଣ୍ଟରର ପାଣି ଖର୍ଚ୍ଚ ଦେଖାଇଛି। ରିପୋର୍ଟ ଅନୁସାରେ, ବିଶ୍ବରେ ଆମାଜନ୍ର ହାରାହାରି ୯୨୪ ଡାଟା ସେଣ୍ଟର ଅଛି।
ଆମାଜନ୍ ଆହୁରି କହିଛି, ୨୦୩୦ ସୁଦ୍ଧା ‘ୱାଟର୍ ପଜିଟିଭ୍ ହେବା ଏହାର ଯୋଜନା। ଏହାର ଅର୍ଥ କମ୍ପାନିର ଡାଟା ସେଣ୍ଟର୍ କାର୍ଯ୍ୟରେ ବ୍ୟବହୃତ ପ୍ରତ୍ୟେକ ଗ୍ୟାଲନ୍ ପାଣି ବଦଳରେ କମ୍ପାନି ସମୁଦାୟକୁ ଏକ ଗ୍ୟାଲନରୁ ଅଧିକ ପାଣି ଫେରାଇବ। ଏହି ଲକ୍ଷ୍ୟକୁ ୭୫ ପ୍ରତିଶତ ହାସଲ କରିଥିବା କମ୍ପାନି କହିଛି । ଜଳ ସଂରକ୍ଷଣର ଅନେକ ଉପାୟ ମଧ୍ୟ ଏହା ଆପଣେଇଛି। ନିଜ ସର୍ଭରକୁ ଥଣ୍ଡା ରଖିବା ପାଇଁ ୯୦ ପ୍ରତିଶତ ସମୟ ବାହ୍ୟ ବାୟୁର ଉପଯୋଗ କରୁଛି।
