Voice of Eastern India

ପତ୍ନୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ମିଳିଲା ଝୁଲନ୍ତା ମୃତଦେହ


ବାଲେଶ୍ବର: ପତ୍ନୀଙ୍କ ଜନ୍ମଦିନ ପାଇଁ ଆସିଥିଲେ, ମିଳିଲା ଝୁଲନ୍ତା ମୃତଦେହ । ସେପଟେ ମିଳୁନି ପତ୍ନୀଙ୍କ ପତ୍ତା। ବାଲେଶ୍ୱର ଆଜିମାବାଦ୍ ଅଞ୍ଚଳରେ ଏକ ଭଡ଼ା ଘରେ ଜଣେ ଯୁବକଙ୍କ ଅପମୃତ୍ୟୁକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ। ମୃତକ ହେଲେ ଜଗତସିଂହପୁର ଜିଲ୍ଲାର ରାମଚନ୍ଦ୍ର ସେଠୀଙ୍କ ୩୪ ବର୍ଷୀୟ ପୁଅ ରଶ୍ମିରଞ୍ଜନ ସେଠୀ।

ସୂଚନା ଅନୁସାରେ, ରଶ୍ମିରଞ୍ଜନ ରୁହନ୍ତି କଟକରେ। ବାଲେଶ୍ୱରରେ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଆଜିମାବାଦ୍ ଅଞ୍ଚଳରେ ଏକ ଭଡ଼ା ଘରେ ରୁହନ୍ତି ପତ୍ନୀ ରଶ୍ମିରେଖା ଭୂୟାଁ । ତେବେ ପତ୍ନୀଙ୍କ ଜନ୍ମ ଦିନ ପାଳିବାକୁ ଗୁରୁବାର କଟକରୁ ବାଲେଶ୍ୱର ଯାଇଥିଲେ ରଶ୍ମିରଞ୍ଜନ । କିନ୍ତୁ ବିଳମ୍ବିତ ରାତିରେ ରଶ୍ମିରଞ୍ଜନ ଆତ୍ମହତ୍ୟା କରିଥିବା ନେଇ ପତ୍ନୀଙ୍କ ଭାଇ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ।

ହେଲେ ଏଭଳି ଅଘଟଣକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ମୃତକଙ୍କ ପରିବାର ଲୋକେ। ଏହା ଆତ୍ମହତ୍ୟା ନୁହେଁ ବରଂ ଏକ ସୁଚିନ୍ତିତ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି । ଆଉ ଏଥିରେ ପତ୍ନୀଙ୍କ ସମେତ ତାଙ୍କ ପ୍ରେମିକ ଓ ପରିବାର ଲୋକେ ସାମିଲ୍ ଥିବା ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ ହୋଇଛି।

ପରିବାର ଲୋକ ଆଣିଲେ ସଂଗୀନ ଅଭିଯୋଗ

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ମୃତକଙ୍କ ପତ୍ନୀ ପୂର୍ବରୁ କରଞ୍ଜିଆରେ ଏନଏଚଏମର ଜେଇ ଭାବରେ ଚାକିରି କରୁଥିଲେ। ସେଠାକାର ଜଣେ ସହକାରୀଯନ୍ତ୍ରୀଙ୍କ ସହ ତାଙ୍କର ଗଢ଼ି ଉଠିଥିଲା ପ୍ରେମ ସଂପର୍କ। ଏହି ପରକୀୟା ପ୍ରୀତି ଚର୍ଚ୍ଚା କାରଣରୁ ଗତ ଦୁଇ- ଅଢ଼େଇ ବର୍ଷ ହେବ ଉଭୟ ରଶ୍ମିରଞ୍ଜନ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଗତକାଲି ସ୍ତ୍ରୀଙ୍କ ଜନ୍ମଦିନ ଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ କଟକରୁ ବାଲେଶ୍ୱର ଆସିଥିଲେ ରଶ୍ମି। ମାତ୍ର ସେଠାରେ ମହିଳାଙ୍କ ପରିବାର ଏବଂ ସମ୍ପୃକ୍ତ ଆସିଷ୍ଟାଣ୍ଟ ଇଞ୍ଜିନିୟର ମିଶି ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

Also Read: ବୁଲା କୁକୁରଙ୍କ ଭୟରେ ଛୁ ମାରିଲେ ଚୋର ! CCTVରେ କଏଦ ଚୋରି ବେଳର ଦୃଶ୍ୟ

ମୃତକଙ୍କ କାନ ନିକଟରେ କ୍ଷତ ଚିହ୍ନ ଥିବା , ଘଟଣା ପରଠାରୁ ମୃତକଙ୍କ ସ୍ତ୍ରୀଙ୍କ ଫୋନ୍ ସ୍ୱିଚ୍ ଅଫ୍ ରହିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ଆତ୍ମୀୟ। ଏପରିକି ଘଟଣା ସ୍ଥଳରୁ ପୋଲିସକୁ ନଜଣାଇ ମୃତଦେହକୁ ମେଡିକାଲ୍ ଅଣାଯାଇଥିଲା । ଆଉ ହସ୍ପିଟାଲରୁ ପୋଲିସକୁ ଖବର ଯାଇଥିଲା। ମୃତକ ପରିବାରର ଅଭିଯୋଗ ଆଧାରରେ ସହଦେବଖୁଣ୍ଟା ଥାନା ପୋଲିସ ୩୧୫/୨୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ କହିଛନ୍ତି ଥାନା ଅଧିକାରୀ। ଏପଟେ ରଶ୍ମିଙ୍କ ଜଗତସିଂହପୁର ଘରେ ଶୋକାକୁଳ ପରିବେଶ। କାନ୍ଦବୋବାଳିରେ ଫାଟି ପଡ଼ୁଛି ଘର। ପୁଅର ଅପମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଜଣେ ବି ଆତ୍ମୀୟ। ସେମାନଙ୍କ ଅଭିଯୋଗ ବି ବୋହୂ ବିରୋଧରେ।

ତେବେ ସତରେ କଣ ନିଜ ଜନ୍ମ ଦିନରେ ସ୍ୱାମୀକୁ ମାରିଦେଲା ପତ୍ନୀ ? କୁଆଡ଼େ ଗଲେ ପତ୍ନୀ ? କିଏ ଗାଏବ କଲେ ମୃତକଙ୍କ ଫୋନ୍ ? ପତ୍ନୀଙ୍କ ପରିବାର ଲୋକ ବି କିଛି ମତ ରଖି ନାହାନ୍ତି। ସନ୍ଦିଗ୍ଧ ପ୍ରେମିକ ଏବେ କେଉଁଠି ? ଏମିତି ଅନେକ ଜଟିଳ ପ୍ରଶ୍ନ । ତେବେ ପୋଷ୍ଟମର୍ଟମ ରିପୋର୍ଟ ସନ୍ଦେହର ପର୍ଦ୍ଦାଫାସ୍ କରିପାରେ। ପୋଲିସର ତଦନ୍ତ ବି। ତେବେ ଏହା କେବେ ହେବ ତାହାକୁ ସମସ୍ତଙ୍କ ଅପେକ୍ଷା ।

Source link



Source link

Leave A Reply

Your email address will not be published.