ନୂଆଦିଲ୍ଲୀ: ମେକ୍ସିକୋରେ ଶୁକ୍ରବାର ୭.୪ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଆସିଛି । ଶକ୍ତିଶାଳୀ ଭୂକମ୍ପ ପରେ କର୍ତ୍ତୃପକ୍ଷ ଦେଶର ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମି ଆଲର୍ଟ ଜାରି କରିଛନ୍ତି । ଭୂକମ୍ପର ଝଟକା ପଡ଼ୋଶୀ ଦେଶ ଗ୍ୱାତେମାଲା ଏବଂ ଅଲ୍ ସାଲଭାଡୋରରେ ମଧ୍ୟ ଅନୁଭୂତ ହୋଇଛି, ଯାହାଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।
ଭୂକମ୍ପ ପରେ ପ୍ରଶାନ୍ତ ମହାସାଗର ଉପକୂଳରେ ଅବସ୍ଥିତ ମେକ୍ସିକୋର ପ୍ରମୁଖ ବନ୍ଦର ଏବଂ ମାଛଧରା ସହର ‘ପ୍ୟୁର୍ଟୋ ମାଡେରୋ’ର ଆଖପାଖ ଅଞ୍ଚଳରେ ସୁନାମିକୁ ନେଇ ଆଲର୍ଟ ଜାରି କରାଯାଇଛି । ଉପକୂଳ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ଏବଂ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ପ୍ରଶାସନ ନିବେଦନ କରିଛି । ବର୍ତ୍ତମାନ ସୁଦ୍ଧା ଭୂକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତି ଏବଂ ସମ୍ଭାବ୍ୟ ଜୀବନହାନି ସମ୍ପର୍କରେ ସବିଶେଷ ସୂଚନା ମିଳିପାରିନାହିଁ ।
ରଏଟର୍ସ ଅନୁଯାୟୀ, ଆମେରିକୀୟ ସୁନାମି ଚେତାବନୀ ପ୍ରଣାଳୀ ବଡ଼ ବିପଦର ଆଶଂକା କରିଛି । ମେକ୍ସିକୋରେ ଆସିଥିବା ଶକ୍ତିଶାଳୀ ଭୂକମ୍ପ ପରେ ଏହାର କେନ୍ଦ୍ରସ୍ଥଳରୁ ୩୦୦ କିଲୋମିଟର ପରିସର ମଧ୍ୟରେ ଥିବା ଉପକୂଳବର୍ତ୍ତୀ ଅଞ୍ଚଳରେ ବିପଜ୍ଜନକ ସୁନାମି ତରଙ୍ଗ ସୃଷ୍ଟି ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଞ୍ଚଳ ପାଇଁ ଆଲର୍ଟ ଜାରି କରାଯାଇଛି ।
ଆମେରିକା ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ଏହି ଭୂକମ୍ପ ମେକ୍ସିକୋର ପ୍ୟୁର୍ଟୋ ମାଡେରୋ ସହର ନିକଟରେ ପ୍ରାୟ ୧୦ କିଲୋମିଟର କମ୍ ଗଭୀରତାରେ ଆସିଥିଲା । ସାଧାରଣତଃ କମ୍ ଗଭୀରତାରେ ଆସୁଥିବା ଭୂକମ୍ପଗୁଡ଼ିକ ଅଧିକ ପ୍ରଭାବଶାଳୀ ବା ଭୟଙ୍କର ବୋଲି ବିବେଚନା କରାଯାଏ । ରଏଟର୍ସର ରିପୋର୍ଟ ଅନୁଯାୟୀ, ଭୂକମ୍ପର ଝଟକାରେ ଗ୍ୱାତେମାଲା ସିଟିର କୋଠାଗୁଡ଼ିକ ଦୋହଲିଯାଇଥିଲା, ଲୋକେ ଭୟଭୀତ ହୋଇପଡ଼ିଥିଲେ । ଏହା ବ୍ୟତୀତ ପଡ଼ୋଶୀ ଦେଶ ଅଲ୍ ସାଲଭାଡୋରରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି ।
