Voice of Eastern India

ଭାଙ୍ଗିବାରେ ଲାଗିଛି ଇଞ୍ଜିନିୟରିଂ ସ୍ୱପ୍ନ ? ମିଳୁନି ଚାକିରି, କମୁଛି ଦରମା, ଏମବିଏ ଶିକ୍ଷାର ବି ଲାଭ ନାହିଁ !


ନୂଆଦିଲ୍ଲୀ: ୧୯୯୦ ଏବଂ ୨୦୦୦ ଦଶକରେ ଯେଉଁମାନେ ବଢ଼ିଥିଲେ, ସେମାନଙ୍କ ପାଇଁ ‘ଇଞ୍ଜିନିୟରିଂ’ କେବଳ ଏକ ପାଠ୍ୟକ୍ରମ ନଥିଲା, ଥିଲା ଏକ ସ୍ୱପ୍ନ। ବାପାମା ଭାବୁଥିଲେ ମେଟ୍ରିକ ଡେଇଁବା ପରେ ପିଲା ଇଞ୍ଜିନିୟରିଂରେ ଯିବ। ସ୍ୱପ୍ନ ସାକାର ହେବ। ଭାରତରେ ଇଞ୍ଜିନିୟରିଂ କେବଳ ଏକ ପେଷା ନଥିଲା, ବରଂ ବଞ୍ଚିବାର ଏକ ରଣନୀତି ପାଲଟି ଯାଇଥିଲା। ଏହି ଭାବନା ଦେଶର ମଧ୍ୟମ ବର୍ଗଙ୍କ ମଧ୍ୟରେ ଏତେ ଭିତରକୁ ଭେଦି ଗଲା ଯେ ପୂରା କିଶୋର ଅବସ୍ଥା ଯେମିତି ଏହି ଇଞ୍ଜିନିଂୟର ଆଖପାଖରେ ଘୂରି ବୁଲିଲା।

ଚଳଚ୍ଚିତ୍ର ‘ଥ୍ରୀ ଇଡିଅଟ୍ସ’ର ସେହି ପ୍ରସିଦ୍ଧ ପୁରୁଣା ଗୀତ ଆପଣଙ୍କର ମନେ ଥିବ…. “ଗିଭ୍ ମି ସମ ସନ୍ ସାଇନ୍, ଗିଭ୍ ମି ସମ ରେନ, ଗିଭ୍ ମି ଏନାଦର ଚାନ୍ସ, ଆଇ ୱାନା ଗ୍ରୋ ଅପ୍ ୱାନ୍ସ ଏଗେନ୍” – ଏହି ଧାଡ଼ିଟି ପ୍ରତିଟି ଇଞ୍ଜିନିୟରିଂ ଛାତ୍ରଙ୍କ ହୃଦୟର କଥା କହିଥାଏ। କାରଣ ଘର ଲୋକଙ୍କ ଇଚ୍ଛା, ଆର୍ଥିକ ଚାପରେ ଚାପି ହୋଇ ଇଞ୍ଜିନିୟର ହେବାର ସ୍ୱପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ଯେମିତି ଏକ କରୁଣ ପ୍ରାର୍ଥନା। ଅନେକ ଛାତ୍ର ନିଜ ପିଲାଦିନକୁ ଏମିତି ଏକ ଆକାଂକ୍ଷାର ବୋଝ ତଳେ ହଜାଇ ଦେଇଛନ୍ତି, ଯାହା ପ୍ରକୃତରେ କେବେ ସେମାନଙ୍କର ନଥିଲା।

ଏକ ବଡ଼ ଘର, ସ୍ଥିର ଜୀବନ, ମୋଟା ଅଙ୍କର ଦରମା ଏବଂ ସମାଜରେ ପ୍ରତିଷ୍ଠା, ଏସବୁର ମୂଳଦୁଆ ଥିଲା କେବଳ ‘ଇଞ୍ଜିନିୟରିଂ’। ପରବର୍ତ୍ତୀ ସମୟରେ ଇଞ୍ଜିନିୟରିଂ ସହିତ ଏମବିଏ (MBA)ର ସଂଯୋଗ ସଫଳତାର ସବୁଠାରୁ ବଡ଼ ଫର୍ମୁଲା ପାଲଟିଗଲା। ପୁରୁଣା ସ୍ୱପ୍ନରେ ଯୋଡ଼ି ହୋଇଗଲା ଆଉ ଏକ ନୂଆ ସ୍ୱପ୍ନ। ଆଉ ଏହି ସ୍ୱପ୍ନର ବୋଝ ଆଜି ବି ଯୁବପିଢ଼ି ନିଜ କାନ୍ଧରେ ବୋହି ଚାଲିଛନ୍ତି।

କିନ୍ତୁ ଏହି ସ୍ୱପ୍ନ ଏବେ ଧୀରେ ଧୀରେ ମଳିନ ପଡ଼ିବାକୁ ଲାଗିଲାଣି। ଦିନେ ଯେଉଁମାନଙ୍କୁ ଇଞ୍ଜିନିୟରିଂ ଏକ ସ୍ୱପ୍ନ ଭାବେ ଲଦି ଦିଯାଇଥିଲା, ତାହା ଆଜି ଅନେକକଙ୍କ ପାଇଁ ଦୁସ୍ୱପ୍ନ। ଇଞ୍ଜିନୟରିଂର ନା ଡିମାଣ୍ଡ ଅଛି ନା ପଇସା, ନା ସମ୍ମାନ, ପ୍ରତିଷ୍ଠା।ଯଦି ଆଜିର ପିଢ଼ି କୌଣସି ଗୋଟିଏ କଥା ଭଲ ଭାବରେ ଜାଣିଛି, ତେବେ ତାହା ହେଲା ପୂର୍ବ ପିଢ଼ିରୁ ମିଳିଥିବା ପ୍ରତିଶ୍ରୁତି ଉପରେ ପ୍ରଶ୍ନ ଉଠାଇବା।

Also Read- ତୈଳ ଦର ବୃଦ୍ଧିର ପ୍ରଭାବ କେବଳ ଏକ ଧାରଣା, ଭାରତର ଅଭିବୃଦ୍ଧି ହାର ୮% ରୁ ଅଧିକ ରହିବ: ବିଶ୍ୱବ୍ୟାଙ୍କ କାର୍ଯ୍ୟକାରୀ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର

ଆଜି ସମୟ ଆସିଛି ସେହି ଅସହଜ ପ୍ରଶ୍ନଟିକୁ ପଚାରିବା ପାଇଁ। କୋଚିଂ କାରଖାନାରେ କଟାଇଥିବା ସେହି ଛାତ୍ରର ନିଦ୍ରାହୀନ ରାତି, ଅସହ୍ୟ ଚାପ ଏବଂ ବହିର ବୋଝ, କ’ଣ ପ୍ରକୃତରେ ଆଜି ଉଚିତ ମୂଲ୍ୟ ଦେଇପାରିବ ?

ଏଥିପାଇଁ ଆମେ ଏକଥା ଉଠାଉଛୁ, କାରଣ ଏକ ସର୍ଭେ ରିପୋର୍ଟରେ ଏଭଳି କିଛି ଖୁଲାସା ହୋଇଛି, ଯାହା ଆପଣଙ୍କର ଇଞ୍ଜିନିଂୟରିଂ ପ୍ରତି ମୋହ ଭଙ୍ଗ କରିପାରେ।

ରିପୋର୍ଟରୁ ସାମ୍ନାକୁ ଆସିଲା ଭୟଙ୍କର ସତ୍ୟ

‘ଅନଷ୍ଟପ୍ ଟ୍ୟାଲେଣ୍ଟ ରିପୋର୍ଟ ୨୦୨୬’ (Unstop Talent Report 2026) ଅନୁଯାୟୀ, ପ୍ରାୟ ୩୦ ପ୍ରତିଶତ MBA ସ୍ନାତକଧାରୀ ବାର୍ଷିକ ୧୦ ଲକ୍ଷ ଟଙ୍କାରୁ କମ ରୋଜଗାର କରୁଛନ୍ତି। ସେହିପରି ୩୯ ପ୍ରତିଶତ ଇଞ୍ଜିନିୟରିଂ ସ୍ନାତକଧାରୀଙ୍କର ବାର୍ଷିକ ଆୟ ୭ ଲକ୍ଷ ଟଙ୍କା ଠାରୁ ବି କମ୍। ଏହି ରିପୋର୍ଟ ଚଳିତ ବର୍ଷ ଜାନୁଆରୀରୁ ଫେବୃଆରୀ ମଧ୍ୟରେ ୩୭,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ୫୦୦ରୁ ଅଧିକ ଏଚ୍.ଆର୍ (HR) ଲିଡରଙ୍କୁ ନେଇ କରାଯାଇଛି ସର୍ଭେରୁ ଆସିଛି।

ଏହି ସଂଖ୍ୟା କେବଳ ଏକ ଆକଳନ ନୁହେଁ, ଏହା ଏକ ଗଭୀର ସଙ୍କଟର ସଙ୍କେତ। ଯାହା ବୁଝାଇ ଦେଉଛି ଯେ ଇଞ୍ଜିନିୟରିଂ କେବେ ଆଶାର ପ୍ରତୀକ ଥିଲା, ହେଲେ ଆଜି ଏହାର ମରିଚିକା ପାଲଟିଯାଇଛି।

ଇଞ୍ଜିନିୟରିଂର ପ୍ରଜାପତିର ପର କଟିଲା କେମିତି ?

୧୯୯୦ ଦଶକର ଶେଷ ଭାଗରେ ଆଇଟି (IT) ଶିଳ୍ପର ଅଭ୍ୟୁଦୟ ଭାରତୀୟ ଇଞ୍ଜିନିୟରଙ୍କୁ ସଫଳତାର ମନ୍ତ୍ର କରିଥିଲା। ବିଦେଶ ଯାତ୍ରା, ବୟସ୍କ ବାପାମା’ଙ୍କ ଯତ୍ନ ଏବଂ ସହରରେ ଆପାର୍ଟମେଣ୍ଟ କିଣିବା ଭଳି ଘଟଣାଗୁଡ଼ିକ ମଧ୍ୟବିତ୍ତ ପରିବାରର ଆର୍ଥିକ ଭାଗ୍ୟ ବଦଳାଇ ଦେଇଥିଲା। ଏହାପରେ ଆରମ୍ଭ ହେଲା ବିସ୍ଫୋରଣ। ରାଜପଥ କଡ଼ରେ ଇଞ୍ଜିନିୟରିଂ କଲେଜଗୁଡ଼ିକର ଛତୁଫୁଟିଲା ପରି ଗଢ଼ି ଉଠିଲା। ଏବଂ କୋଟା ଭଳି କୋଚିଂ ସେଣ୍ଟର ସୃଷ୍ଟି ହେଲା। ପରିବାରଗୁଡ଼ିକ ନିଜର ସମସ୍ତ ସଞ୍ଚୟ ଏଥିରେ ଖର୍ଚ୍ଚ କଲେ, କାରଣ ସେମାନଙ୍କର ବିଶ୍ୱାସ ଥିଲା ଯେ ପାଟିପେଟ କାଟି କରାଯାଇଥିବା ଏହି ତ୍ୟାଗ ଦିନେ ସଫଳ ହେବ। ପୁଅ ଇଞ୍ଜିନିୟର ହେଲେ ଘରର ଅବସ୍ଥା ସୁଧୁରିଯିବ। କିନ୍ତୁ କେଉଁଠି ନା କେଉଁଠି ଭାରତ ‘ବିସ୍ତାର’କୁ ‘ରୂପାନ୍ତର’ ବୋଲି ଭାବି ଭୁଲ୍ କରିଦେଲା। ଦେଶରେ ଡିଗ୍ରୀ ଏବଂ କ୍ୟାମ୍ପସ ସଂଖ୍ୟା ତ ବଢ଼ିଲା, କିନ୍ତୁ ଅର୍ଥପୂର୍ଣ୍ଣ ସୁଯୋଗ ସେହି ଅନୁପାତରେ ବଢ଼ିଲା ନାହିଁ। ଫଳରେ ଇଞ୍ଜିନିଂୟରେ ହାତାଶା ନିରାଶା ଛାଇଗଲା।

Also Read-Indian Tyre Exports : ଟାୟାର ରପ୍ତାନିରେ ଭାରତର ରେକର୍ଡ, ସବୁଠାରୁ ଅଧିକ କିଣିଛି ଆମେରିକା

ଛାତ୍ରଛାତ୍ରୀଙ୍କ ସମ୍ମୁଖରେ କଠୋର ପ୍ରଶ୍ନ ଛିଡ଼ା ହୋଇଛି

ବର୍ତ୍ତମାନ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ସୋସିଆଲ୍ ମିଡିଆରେ ଚାକିରି ଖୋଜୁଛନ୍ତି। ଯେଉଁ ଡିଗ୍ରୀ ନିରାପତ୍ତାର ଗ୍ୟାରେଣ୍ଟି ଦେଉଥିଲା, ତାହା ଏବେ ଅସ୍ଥିରତା ସୃଷ୍ଟି କରୁଛି। ଲିଙ୍କଡ-ଇନ୍ (LinkedIn)ରେ ସ୍ମିତହାସ୍ୟ କରି ଯେଉଁ ପୋଷ୍ଟ କରାଯାଉଛି, ତାହା ଅଣ୍ଡର-ଏମ୍ପ୍ଲୟମେଣ୍ଟ, ବଢ଼ୁଥିବା ଦରମା ଚାପ ଏବଂ ଆର୍ଥିକ ସ୍ୱାଧୀନତାରେ ବିଳମ୍ବ ଭଳି କଠୋର ବାସ୍ତବତା ଲୁଚି ରହିଛି।

୭ ଲକ୍ଷରୁ କମ୍ ପ୍ୟାକେଜ୍ ପାଉଥିବା ଇଞ୍ଜିନିୟର କେବଳ ଦରମା ସହ ନୁହେଁ, ବରଂ ନିଜ ପରିବାର ଏବଂ ସମାଜର ଆଶା ସହ ସଂଘର୍ଷ କରୁଛନ୍ତି। ଛାତ୍ରଛାତ୍ରୀମାନେ ଏବେ ବୁଝିବାକୁ ଆରମ୍ଭ କଲେଣି ଯେ ନିଯୁକ୍ତିଦାତାମାନେ କେବଳ ‘ଯୋଗ୍ୟତା’ (Qualifications) ନୁହେଁ, ବରଂ ‘ଅନୁକୂଳତା’ (Adaptability) କିଣୁଛନ୍ତି।

ଶିକ୍ଷା ବ୍ୟବସ୍ଥା ବନାମ ବଜାର ଚାହିଦା

ରିପୋର୍ଟ ଅନୁଯାୟୀ, ଶିକ୍ଷା ଓ ନିଯୁକ୍ତିରେ ଦିଗରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳୁଛି। ସର୍ଭେରେ ସାମିଲ ଥିବା୯୫ରୁ୯୮ପ୍ରତିଶତଛାତ୍ରଛାତ୍ରୀ ମାନୁଛନ୍ତି ଯେ ନିଯୁକ୍ତି ଏବେ ସମ୍ପୂର୍ଣ୍ଣ ଦକ୍ଷତା-ଆଧାରିତ (Skills-based) ହୋଇଯାଇଛି। ଏଚ୍.ଆର୍ ଲିଡରଙ୍କ ମତ ଅନୁଯାୟୀ ୬୪ ପ୍ରତିଶତ ଏଚଆର AI/ML, ଡାଟା, କ୍ଲାଉଡ୍ ଏବଂ ସାଇବର ସିକ୍ୟୁରିଟି ଭଳି କୌଶଳକୁ ମୁଖ୍ୟ ପ୍ରାଧାନ୍ୟ ଦେଇଛନ୍ତି। ପୁରୁଣା ଶିକ୍ଷା ବ୍ୟବସ୍ଥା କେବଳ ମୁଖସ୍ତ କରିବା ଓ ପରୀକ୍ଷା ଦେବାରେ ସୀମିତ ଥିଲା, ଯାହା ଆଜିର ବଜାର ପାଇଁ ଅପ୍ରାସଙ୍ଗିକ ହୋଇପଡ଼ିଛି।

ଏଆଇ (AI) ଏବଂ ବଢ଼ୁଥିବା ଚିନ୍ତା

ପ୍ରତିଯୋଗିତା ଏବେ ସାଧାରଣ ସ୍ତର ଅତିକ୍ରମ କରି ସାରିଛି। ପ୍ରାୟ ୮୦ରୁ ୮୬ ପ୍ରତିଶତ ଛାତ୍ରଛାତ୍ରୀ ଜେନେରେଟିଭ୍ ଏଆଇ (Generative AI) ଟୁଲ୍ସ ବ୍ୟବହାର କରି ନିଜର ଇଣ୍ଟରଭ୍ୟୁ ପ୍ରସ୍ତୁତି କରୁଛନ୍ତି। କମ୍ପାନୀଗୁଡ଼ିକ ଏବେ ଏପରି କର୍ମଚାରୀ ଖୋଜୁଛନ୍ତି ଯେଉଁମାନେ ଯୋଗଦେବା ମାତ୍ରେ ରେଜଲ୍ଟ ଦେବେ। ପ୍ରଥମେ ନିଯୁକ୍ତି ପରେ ପ୍ରଶିକ୍ଷଣ ଦିଆଯିବାର ଯେଉଁ ପୁରୁଣା ଧାରଣା ଏବେ ଲୋପ ପାଇବାରେ ଲାଗିଛି।

ଭାବପ୍ରବଣତାର ମୂଲ୍ୟ କିଏ ବୁଝିବ?

ରିପୋର୍ଟରେ ଅର୍ଥନୈତିକ ଦିଗ ସହ ଆବେଗିକ ଦିଗକୁ ମଧ୍ୟ ସ୍ଥାନ ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ସଫଳତାର କାହାଣୀ ଦେଖି ଅନେକ ଛାତ୍ର ହତାଶା ଏବଂ ଅପରାଧବୋଧରେ ଅନୁଭବ କରୁଛନ୍ତି। କିଛି ପିତାମାତା ଏବେ ବି ନିଜ ସନ୍ତାନଙ୍କୁ ‘ଇଞ୍ଜିନିୟର’ ବୋଲି ପରିଚୟ ଦେଇ ଗର୍ବ କରୁଛନ୍ତି, କିନ୍ତୁ ସେହି ପରିଚୟ ସହ ଜଡ଼ିତ ସୁରକ୍ଷା ଭାବନା ଏବେ ଦୁର୍ବଳ ହୋଇପଡ଼ିଛି।

Also Read- RBI Mulls Shift to Polymer Banknotes: ଦଶନ୍ଧୀରେ ଦୁଇଥର: ପୁଣି ବଦଳିବ ଭାରତୀୟ ନୋଟ, ଏଥର କାଗଜ ନୁହେଁ ପ୍ଲାଷ୍ଟିକ୍, ଜାଣନ୍ତୁ ପୂରା ରିପୋର୍ଟ

ଏକ ନୂଆ ପିଢ଼ିର ଚିନ୍ତାଧାରା

ସବୁଠାରୁ ଆଶାଜନକ କଥା ହେଉଛି, ଆଜିର ଯୁବପିଢ଼ି ପରିସ୍ଥିତି ସହ ଖାପ ଖୁଆଇବାକୁ ଶିଖି ଗଲେଣି:

  • ୯୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ କମ୍ ଦରମାରେ କାମ କରିବାକୁ ପ୍ରସ୍ତୁତ, ଯଦି ସେହି ଭୂମିକାରେ ଶିଖିବାର ସୁଯୋଗ ରହିଛି ତେବେ।
  • ୮୨ ପ୍ରତିଶତବି-ସ୍କୁଲ (B-school) ଛାତ୍ରଛାତ୍ରୀ ଏବେ ଆକର୍ଷଣୀୟ ସୁବିଧା ଅପେକ୍ଷା ‘ଇନ୍-ହ୍ୟାଣ୍ଡ’ ଦରମାକୁ ଅଗ୍ରାଧିକାର ଦେଉଛନ୍ତି।

ସାରାଂଶରେ, ଆଜିର ଭାରତୀୟ ଯୁବପିଢ଼ି ବୁଝି ପାରିଛନ୍ତି ଯେ, ସେମାନେ ଉତ୍ତରାଧିକାରୀ ଭାବେ ପାଇଥିବା ସ୍ୱପ୍ନଟି ସେମାନଙ୍କ ବାପା-ମା’ଙ୍କ ସମୟର ଭାରତ ପାଇଁ ଉଦ୍ଦିଷ୍ଟ ଥିଲା। ଆଜିର ଭାରତ ସମ୍ପୂର୍ଣ୍ଣ ଭିନ୍ନ, ଏବଂ ଏହି ସମୟ ସହ ଖାପ ଖୁଆଇ ଚାଲିବା ହିଁ ବର୍ତ୍ତମାନର ସଫଳତାର ପ୍ରକୃତ ଚାବିକାଠି।

Source link



Source link

Leave A Reply

Your email address will not be published.