ତିରୁଅନନ୍ତପୁରମ: ନିଯୁକ୍ତି ଆଦେଶ ପ୍ରଦାନରେ ସରକାରଙ୍କ ବିଳମ୍ବ ବିରୁଦ୍ଧରେ ଅଭିନବ ପ୍ରତିବାଦ । ଶନିବାର କେରଳର କନିଷ୍ଠ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ରାଙ୍କଧାରୀମାନେ ରାଜ୍ୟ ସଚିବାଳୟ ଆଗରେ ଘାସ ଖାଇ ପ୍ରତୀକାତ୍ମକ ପ୍ରତିବାଦ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଏହି ଆନ୍ଦୋଳନ ଏକ ମାସରୁ ଅଧିକ ସମୟ ଧରି ଚାଲିଆସୁଛି ।
ସାମନାକୁ ଆସିଥିବା ଭିଡିଓରେ ପ୍ରତିବାଦକାରୀମାନେ ସଚିବାଳୟ ବାହାରେ ଧାଡ଼ି ହୋଇ ବସିଛନ୍ତି ଏବଂ ସେମାନଙ୍କ ସାମ୍ନାରେ କାଗଜ ଉପରେ ଘାସ ରଖାଯାଇଥିବା ଦେଖିବାକୁ ମିଳିଛି । ଆନ୍ଦୋଳନକାରୀ ଘାସ ଖାଉଥିବାର ବି ଦେଖିବାକୁ ମିଳୁଛି । ଏହି ପ୍ରତିବାଦ ଆଜି ୩୪ ଦିନରେ ପହଞ୍ଚିଛି, ଯାହା କେରଳ ପବ୍ଲିକ୍ ସର୍ଭିସ୍ କମିଶନ୍ ରାଙ୍କ ତାଲିକାରେ ସ୍ଥାନ ପାଇଥିବା ଯୋଗ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଅସନ୍ତୋଷକୁ ଦର୍ଶାଉଛି । ଗତବର୍ଷ ମେ’ ୩୧ରେ ଏହି ରାଙ୍କ ତାଲିକା ପ୍ରକାଶ ପାଇଥିଲା ।
ପ୍ରତିବାଦ ଏବଂ ନିଯୁକ୍ତି ବିଳମ୍ବ ସମ୍ପର୍କରେ ସରକାରଙ୍କ ଆଡ଼ୁ କୌଣସି ପ୍ରତିକ୍ରିୟା ନମିଳିବାରୁ ଅସନ୍ତୋଷ ତେଜିବାରେ ଲାଗିଛି । ବିଭିନ୍ନ ପ୍ରକାରର ପ୍ରତିବାଦ ସତ୍ତ୍ୱେ ରାଜ୍ୟ ସରକାର କୌଣସି ଗୁରୁତ୍ୱ ଦେଉନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ଜଣେ ଆନ୍ଦୋଳନକାରୀ କହିଛନ୍ତି, “ଆମେ LPST ରାଙ୍କଧାରୀ । ଆମେ ୩୪ ଦିନ ହେଲା ପ୍ରତିବାଦ କରୁଛୁ । ସରକାରଙ୍କ ପକ୍ଷରୁ କୌଣସି ଭଲ ଖବର ମିଳିନାହିଁ ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ନିଯୁକ୍ତି ପତ୍ର ଦେବା ପାଇଁ ସରକାର ଦୁଇ ମାସ ସମୟ ମାଗିଥିଲେ । ସେ ପ୍ରଶ୍ନ କରିଛନ୍ତି, “ସେମାନଙ୍କୁ ଦୁଇ ମାସ ସମୟ କାହିଁକି ଦରକାର ମୁଁ ଜାଣିନାହିଁ । ଆମେ ଭିନ୍ନ ଭିନ୍ନ ଉପାୟରେ ପ୍ରତିବାଦ କରୁଛୁ, କିନ୍ତୁ ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ମିଳୁନାହିଁ । ସରକାର ଆମ ପ୍ରତି କୌଣସି ପଦକ୍ଷେପ ନେଉନାହାନ୍ତି ଏବଂ ଆମକୁ ଏଡ଼ାଇବାକୁ ଚେଷ୍ଟା କରୁଛନ୍ତି ।”
#WATCH | Thiruvananthapuram, Keralam: Lower Primary School Teacher (LPST) rank holders symbolically eat grass as part of their protest outside the Secretariat, alleging that they have not received appointment orders despite being included in the PSC rank list. pic.twitter.com/tL8SIzWPMi
— ANI (@ANI) August 8, 2026
କେରଳ ପୋଲିସ ଦ୍ୱାରା SIT ତଦନ୍ତ ନିର୍ଦ୍ଦେଶ
ଏଏନଆଇର ସୂଚନା ଅନୁସାରେ, ଏହି ମାମଲା ଷ୍ଟେଟ୍ ପ୍ଲାନିଂ ବୋର୍ଡର ଚିଫ୍-ଲେଭେଲ୍ ପଦବୀ ପାଇଁ କେରଳ ପବ୍ଲିକ୍ ସର୍ଭିସ୍ କମିଶନ୍ ଦ୍ୱାରା ପରିଚାଳିତ ପରୀକ୍ଷା ମୂଲ୍ୟାଙ୍କନରେ ହୋଇଥିବା ଅନିୟମିତତା ସହ ଜଡ଼ିତ । ପ୍ରାର୍ଥୀମାନେ ଅଭିଯୋଗ କରିଛନ୍ତି ଯେ ଆନୁଷ୍ଠାନିକ ନିଯୁକ୍ତି ସମ୍ପର୍କରେ କୌଣସି ଅପଡେଟ୍ ନ ମିଳିବାରୁ ସେମାନଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅପେକ୍ଷା କରିବାକୁ ପଡ଼ୁଛି । ଗତ ମାସରେ କେରଳ ପୋଲିସ କହିଥିଲା ଯେ ଆଇଜିପି ଏସ୍.ଅଜିତା ବେଗମଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଏହି ମାମଲାର ତଦନ୍ତ କରିବ ।
