ଚଣ୍ଡିଗଡ଼: ୬୫୭ କୋଟି ଟଙ୍କାର ହରିୟାଣା ବ୍ୟାଙ୍କ ଦୁର୍ନୀତି ମାମଲାରେ ବଡ଼ ଆକ୍ସନ ହୋଇଛି । ସିବିଆଇ ମଙ୍ଗଳବାର ହରିୟାଣା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତତ୍କାକଳୀନ ସଦସ୍ୟ ସଚିବ ତଥା ଆଇଏଏସ୍ ଅଫିସର ପ୍ରଦୀପ କୁମାରଙ୍କୁ ଗିରଫ କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଇଏଏସ୍ ଅଫିସର ପ୍ରଦୀପ କୁମାରଙ୍କ ଚାକିରିର ଶେଷ ଦିନରେ ଏହି ଗିରଫଦାରୀ ହୋଇଛି ।
ଏହି ମାମଲାରେ ପ୍ରଦୀପ କୁମାରଙ୍କ ଗିରଫଦାରୀ ପୂର୍ବରୁ ସିବିଆଇ ଅନ୍ୟ ଦୁଇଜଣ ଆଇଏଏସ୍ ଅଫିସର ରାମ କୁମାର ସିଂ ଏବଂ ପଙ୍କଜ ଅଗ୍ରୱାଲଙ୍କୁ ମଧ୍ୟ ଗିରଫ କରିସାରିଛି ।
HSPCBର ଏହି ଆକାଉଣ୍ଟ ଚଣ୍ଡିଗଡ଼ର ସେକ୍ଟର-୩୨ ସ୍ଥିତ ଆଇଡିଏଫସି ଫାଷ୍ଟ ବ୍ୟାଙ୍କ ଶାଖାରେ ଥିଲା । ସିବିଆଇ ଅନୁଯାୟୀ, ତଦନ୍ତରୁ ଜଣାପଡ଼ିଛି ଯେ ସଦସ୍ୟ ସଚିବ ଭାବରେ କୁମାରଙ୍କ ଏହି ଦୁର୍ନୀତିରେ ସିଧାସଳଖ ସମ୍ପର୍କ ରହିଛି । ସିବିଆଇ କହିଛି, “ସେ ନିଜେ ନିଜ ସ୍ତରରେ ନିବେଶର ସମସ୍ତ କାର୍ଯ୍ୟ ବୁଝୁଥିଲେ । ଫିକ୍ସଡ୍ ଡିପୋଜିଟ୍ ପାଇଁ ନିର୍ଦ୍ଧାରିତ ସୀମାଠାରୁ ବହୁ ଅଧିକ ପରିମାଣର ଅର୍ଥ ଆଇଡିଏଫସି ଫାଷ୍ଟ ବ୍ୟାଙ୍କକୁ ପଠାଯାଇଥିଲା ।”
ଫିକ୍ସଡ୍ ଡିପୋଜିଟ୍ କରିବା ପାଇଁ ଏଚ୍ଏସ୍ପିସିବିର ପାଣ୍ଠି ପ୍ରଥମେ ଆଇଡିଏଫସି ଫାଷ୍ଟ ବ୍ୟାଙ୍କର ସେକ୍ଟର-୩୨ ଶାଖାରେ ଖୋଲାଯାଇଥିବା ଏକ ଆକାଉଣ୍ଟକୁ ପଠାଯାଇଥିଲା । ସିବିଆଇ ଅଭିଯୋଗ କରିଛି ଯେ, ଆଶ୍ଚର୍ଯ୍ୟର କଥା ଏହି ଆକାଉଣ୍ଟ ଖୋଲିବା ସମ୍ବନ୍ଧରେ ବିଭାଗ କୌଣସି ରେକର୍ଡ ଦେଖାଇ ପାରିନାହିଁ । ଏହା ଏତେ ବଡ଼ ଷଡ଼ଯନ୍ତ୍ର ଥିଲା ଯେ କୌଣସି ଅନୁମୋଦନ ବିନା ଆକାଉଣ୍ଟ ଖୋଲାଯାଇଥିଲା ଏବଂ ଫିକ୍ସଡ୍ ଡିପୋଜିଟ୍ କରିବା ନାଁରେ ସେହି ଆକାଉଣ୍ଟକୁ ଟଙ୍କା ପଠାଯାଇଥିଲା ।
ବର୍ତ୍ତମାନ ତଦନ୍ତରୁ ଜଣାପଡ଼ିଛି ଯେ ବ୍ୟାଙ୍କରେ କୌଣସି ଫିକ୍ସଡ୍ ଡିପୋଜିଟ୍ କରାଯାଇ ନଥିଲା । ଏହା ବଦଳରେ, ଆକାଉଣ୍ଟରୁ ବେଆଇନ ଭାବେ ଟଙ୍କା ଉଠାଯାଇଥିଲା, ଯାହାଫଳରେ ସରକାରୀ ପାଣ୍ଠିର ହେରଫେର ହୋଇଥିଲା । ଏଥିପାଇଁ ହରିୟାଣା ସରକାରଙ୍କୁ ପ୍ରାୟ ୧୬୯ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା ।
ସିବିଆଇ ପକ୍ଷରୁ କୁହାଯାଇଛି ଯେ ପ୍ରଦୀପ କୁମାର କିଛି ଦିନ ହେବ ଲୁଚି ରହୁଥିଲେ । ବାରମ୍ବାର ଚେଷ୍ଟା ସତ୍ତ୍ୱେ ତଦନ୍ତରେ ସହଯୋଗ କରୁନଥିଲେ । ସିବିଆଇ ତାଙ୍କର ଠିକଣା ପାଇବା ପରେ ତାଙ୍କୁ ଗିରଫ କରିଛି ।
ଉଲ୍ଲେଖଯୋଗ୍ୟ ଯେ ହରିୟାଣା ସରକାରଙ୍କ ଅନୁରୋଧ କ୍ରମେ ସିବିଆଇ ଏହି ମାମଲାର ତଦନ୍ତ ଭାର ରାଜ୍ୟ ଭିଜିଲାନ୍ସ ଏବଂ ଦୁର୍ନୀତି ନିବାରଣ ବ୍ୟୁରୋଠାରୁ ନିଜ ହାତକୁ ନେଇଥିଲା । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ସିବିଆଇ ୧୭ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ଏଥିରେ ଆଇଡିଏଫସି ଫାଷ୍ଟ ବ୍ୟାଙ୍କ ଏବଂ ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କର ୬ ଜଣ ବ୍ୟାଙ୍କ ଅଧିକାରୀ, ହରିୟାଣା ସରକାରଙ୍କ ୩ ଜଣ ସରକାରୀ କର୍ମଚାରୀ, ୨ଟି କମ୍ପାନି ଏବଂ ୬ ଜଣ ବେସରକାରୀ ବ୍ୟକ୍ତି ସାମିଲ ଅଛନ୍ତି ।
