ଚେଷ୍ଟର-ଲି-ଷ୍ଟ୍ରିଟ୍: ଭାରତୀୟ କ୍ରିକେଟର ଯୁବ ଓପନିଂ ବ୍ୟାଟର ଅଭିଷେକ ଶର୍ମା ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍ରେ ଏକ ବଡ଼ ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ବିଶ୍ୱ କ୍ରିକେଟର ବଡ଼ ବଡ଼ ସିକ୍ସର କିଙ୍ଗ୍ସମାନଙ୍କୁ ପଛରେ ପକାଇ ଅଭିଷେକ ସବୁଠାରୁ ଦ୍ରୁତତମ ୧୦୦ଟି ଆନ୍ତର୍ଜାତୀୟ ଟି-୨୦ ଛକା ମାରିବାର ବିଶ୍ୱ ରକର୍ଡ ପ୍ରତିଷ୍ଠା କରିଛନ୍ତି। ଇଂଲଣ୍ଡ ବିପକ୍ଷ ଚେଷ୍ଟର-ଲି-ଷ୍ଟ୍ରିଟର ରିଭରସାଇଡ୍ ଗ୍ରାଉଣ୍ଡରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚରେ ସେ ଏହି ଅଦ୍ଭୁତ କାରନାମା କରି ଦେଖାଇଛନ୍ତି। ଅଭିଷେକ ମାତ୍ର ୭୮୫ଟି ବଲ୍ ଖେଳି ନିଜର ୧୦୦ଟି ଛକା ପୂରଣ କରିଛନ୍ତି।
ଏଭିନ୍ ଲୁଇସଙ୍କ ରେକର୍ଡ ଭାଙ୍ଗିଲେ ଅଭିଷେକ
ଅଭିଷେକଙ୍କ ପୂର୍ବରୁ ଏହି ବିଶ୍ୱ ରେକର୍ଡ ୱେଷ୍ଟଇଣ୍ଡିଜ୍ର ବିସ୍ଫୋରକ ବ୍ୟାଟର ଏଭିନ୍ ଲୁଇସଙ୍କ ନାମରେ ରହିଥିଲା। ଲୁଇସ୍ ୧୦୦ଟି ଛକା ମାରିବା ପାଇଁ ୭୮୯ଟି ବଲ୍ର ସାହାରା ନେଇଥିଲେ। ମାତ୍ର ୪ଟି ବଲ୍ର ବ୍ୟବଧାନରେ ଅଭିଷେକ ଏହି ମହାରେକର୍ଡକୁ ନିଜ ନାଁରେ କରି ପାରିଛନ୍ତି।
ଟି-୨୦ ଆନ୍ତର୍ଜାତୀୟରେ ସବୁଠାରୁ ଦ୍ରୁତ ୧୦୦ ଛକା (ଖେଳିଥିବା ବଲ୍ ହିସାବରେ)
ଅଭିଷେକ ଶର୍ମା (ଭାରତ): ୭୮୫ ବଲ୍
ଏଭିନ୍ ଲୁଇସ୍ (ୱେଷ୍ଟଇଣ୍ଡିଜ୍): ୭୮୯ ବଲ୍
ଫିନ୍ ଆଲେନ୍ (ନ୍ୟୁଜିଲାଣ୍ଡ): ୮୭୧ ବଲ୍
ଟିମ୍ ଡେଭିଡ୍ (ଅଷ୍ଟ୍ରେଲିଆ): ୯୩୧ ବଲ୍
କଲିନ୍ ମୁନରୋ (ନ୍ୟୁଜିଲାଣ୍ଡ): ୯୬୩ ବଲ୍
ସୂର୍ଯ୍ୟକୁମାର ଯାଦବ (ଭାରତ): ୧୦୦୭ ବଲ୍
ଏହି ତାଲିକାରେ ଟିମ୍ ଇଣ୍ଡିଆର ‘୩୬୦ ଡିଗ୍ରୀ’ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ୧୦୦୭ ବଲ୍ ସହ ଷଷ୍ଠ ସ୍ଥାନରେ ରହିଛନ୍ତି।
ମାତ୍ର ୨୦ ବଲରେ ଧମାକାଦାର ଅର୍ଦ୍ଧଶତକ
ପ୍ରଥମ ଟି-୨୦ ମ୍ୟାଚ୍ରେ ଇଂଲଣ୍ଡ ବୋଲରଙ୍କୁ ନିର୍ଧୁମ ଛେଚି ଅଭିଷେକ ମାତ୍ର ୨୦ଟି ବଲ୍ରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଆଉଟ୍ ହେବା ପୂର୍ବରୁ ସେ ୨୪ଟି ବଲରୁ ୫୯ ରନର ଏକ ବିସ୍ଫୋରକ ପାଳି ଖେଳିଥିଲେ, ଯେଉଁଥିରେ ୬ଟି ଚୌକା ଏବଂ ୪ଟି ଛକା ସାମିଲ ଥିଲା। ଏହା ପୂର୍ବରୁ ଆୟରଲାଣ୍ଡ ଗସ୍ତର ପ୍ରଥମ ମ୍ୟାଚରେ ମଧ୍ୟ ସେ ୪୯ ରନର ଇନିଂସ ଖେଳିଥିଲେ।
