ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଝାନ୍ସୀଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପୂର୍ବତନ ଗ୍ୟାଙ୍ଗଷ୍ଟର ଏବଂ ନେତା ଅତିକ୍ ଅହମ୍ମଦର ପୁଅ ଅବାନଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଦିନ ତାଙ୍କର ଦ୍ରୁତଗାମୀ କାର୍ ନିୟନ୍ତ୍ରଣ ହରାଇ ଏକ ଡିଭାଇଡର ସହ ପିଟି ହୋଇଯିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଅବାନଙ୍କ ସହ ତାଙ୍କ ବନ୍ଧୁ ସୋନୁଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଝାନ୍ସୀ ଏସଏସପି (SSP) ସ୍ପଷ୍ଟ କରିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଗୋଟିଏ ହୁଣ୍ଡାଇ କ୍ରେଟା (Hyundai Creta) କାର୍ରେ ମୋଟ ୫ ଜଣ ଯାତ୍ରୀ ପ୍ରୟାଗରାଜରୁ ଝାନ୍ସୀ ଆଡ଼କୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣା ପୂର୍ବରୁ ଅତିକ୍ ଅହମ୍ମଦ ପରିବାରର ଅନେକ ସଦସ୍ୟ ହିଂସାତ୍ମକ ଘଟଣାରେ ପ୍ରାଣ ହରାଇସାରିଛନ୍ତି । ୧୩ ଅପ୍ରେଲ, ୨୦୨୩ରେ ଅତିକର ପୁଅ ଅସଦ୍ ଅହମ୍ମଦ ଏନକାଉଣ୍ଟରରେ ପ୍ରାଣ ହରାଇଥିଲା ।
୨୦୦୫ର ବିଏସପି ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଓକିଲ ଉମେଶ ପାଲଙ୍କୁ ୨୦୨୩ ଫେବୃଆରୀ ୨୪ରେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ଅସଦ୍ ଓ ଗୁଲାମ୍ ମୁଖ୍ୟ ଅଭିଯୁକ୍ତ ଥିଲେ।
ଅସଦ୍ ମୃତ୍ୟୁର ମାତ୍ର ଦୁଇ ଦିନ ପରେ (୧୫ ଅପ୍ରେଲ ୨୦୨୩) ପ୍ରୟାଗରାଜର ଶାହଗଞ୍ଜ ଥାନା ଅନ୍ତର୍ଗତ ଏକ ହସ୍ପିଟାଲ ପରିସରରେ ଅତିକ୍ ଅହମ୍ମଦ ଏବଂ ତା ଭାଇ ଖାଲିଦ୍ ଅଜିମ୍ ଓରଫକୁ ସାମ୍ବାଦିକ ବେଶରେ ଆସିଥିବା ତିନି ଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ।
