IRGC Attacks US Bases: ଆମେରିକୀୟ ବେସ୍ ଉପରେ ଇରାନର ମିସାଇଲ ମାଡ଼, କୁଏତ ଓ ବାହାରିନରେ ଉତ୍ତେଜନା, ଇରାନକୁ ଟ୍ରମ୍ପଙ୍କ ଧମକ
ଇରାନ:ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍ (IRGC) ରବିବାର ଦିନ ଆମେରିକାର ଦୁଇଟି ପ୍ରମୁଖ ସାମରିକ ଘାଟି ଉପରେ ମିସାଇଲ୍ ଏବଂ ଡ୍ରୋନ୍ ଆକ୍ରମଣ କରିଛି। ଏହା ପୂର୍ବରୁ ଆମେରିକା ପକ୍ଷରୁ ଇରାନର ବିଭିନ୍ନ ସ୍ଥାନରେ ହୋଇଥିବା ଆକ୍ରମଣର ଜବାବ ବୋଲି ଇରାନ ଦାବି କରିଛି। ଏହି ସାମରିକ କାର୍ଯ୍ୟାନୁଷ୍ଠାନ ଫଳରେ ଜୁନ୍ ୧୯ରେ ସ୍ୱାକ୍ଷରିତ ହୋଇଥିବା ଯୁଦ୍ଧବିରତି ଚୁକ୍ତି ଉପରେ ଗଭୀର ସଙ୍କଟ ସୃଷ୍ଟି ହୋଇଛି।
ଆକ୍ରମଣର ଲକ୍ଷ୍ୟ
ଇରାନର IRGC କୁଏତର ‘ଆଲି ସାଲେମ୍ ଏୟାର ବେସ୍’ ଏବଂ ବାହାରିନର ‘ପୋର୍ଟ ସଲମାନ୍’ ଠାରେ ଥିବା ଆମେରିକାର ପଞ୍ଚମ ନୌସେନା ବାହିନୀ (Fifth Naval Fleet) ମୁଖ୍ୟାଳୟକୁ ଟାର୍ଗେଟ୍ କରିଛି। ଏହି ଆକ୍ରମଣରେ ବାଲିଷ୍ଟିକ୍ ମିସାଇଲ୍ ଏବଂ ଡ୍ରୋନ୍ ବ୍ୟବହାର କରାଯାଇଥିବା ଇରାନୀ ମିଡ଼ିଆ ରିପୋର୍ଟ କରିଛି।
କୁଏତ ଓ ବାହାରିନର ପ୍ରତିକ୍ରିୟା
କୁଏତ ସେନା ପକ୍ଷରୁ ସୂଚନା ଦିଆଯାଇଛି ଯେ, ଶବ୍ଦ ହେଉଥିବା ବିସ୍ଫୋରଣଗୁଡ଼ିକ ହେଉଛି ଆମେରିକାର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା (Air defence systems) ଦ୍ୱାରା ହୋଷ୍ଟାଇଲ୍ ଆକ୍ରମଣକୁ ଅଟକାଇବାର ପରିଣାମ। ସୁରକ୍ଷା ନିୟମ ପାଳନ କରିବାକୁ ନାଗରିକଙ୍କୁ ଅନୁରୋଧ କରାଯାଇଛି। ବାହାରିନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦେଇଛି।
ଟ୍ରମ୍ପଙ୍କ କଡ଼ା ଚେତାବନୀ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘଟଣାକୁ ନେଇ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି। ତାଙ୍କର ଏକ ‘ଟ୍ରୁଥ୍ ସୋସିଆଲ୍’ ପୋଷ୍ଟରେ ସେ କହିଛନ୍ତି“ଯଦି ଆମେରିକାକୁ ପୁଣିଥରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ କରାଯାଏ,ତେବେ ଇସଲାମିକ୍ ରିପବ୍ଲିକ୍ ଅଫ୍ ଇରାନ ଆଉ ଅସ୍ତିତ୍ୱରେ ରହିବ ନାହିଁ!”ସେ ଅଭିଯୋଗ କରିଛନ୍ତି ଯେ ଇରାନ ବାରମ୍ବାର ଯୁଦ୍ଧବିରତି ଚୁକ୍ତି ଉଲ୍ଲଂଘନ କରୁଛି।
Also Read: Milk Flood: ରାଜରସ୍ତାରେ ହେଲା କ୍ଷୀରର ବନ୍ୟା, ଗରା, ବାଲ୍ଟି ନେଇ ଦୌଡିଲେ ଲୋକ
ହର୍ମୁଜ୍ ଜଳସନ୍ଧି ଓ ଚିନ୍ତା
ଇରାନ ପୁନର୍ବାର ସତର୍କ କରାଇଛି ଯେ, ‘ଇସଲାମାବାଦ ବୁଝାମଣା’ ଅନୁଯାୟୀ ହର୍ମୁଜ୍ ଜଳସନ୍ଧି (Strait of Hormuz) ଦେଇ ଯାଉଥିବା ଜାହାଜଗୁଡ଼ିକ ନିୟମ ମାନିବା ବାଧ୍ୟତାମୂଳକ। ନିୟମ ଉଲ୍ଲଂଘନ କଲେ ଅଧିକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଇରାନ କହିଛି। ଏହି ସାମରିକ ଅଦଳବଦଳ ପଶ୍ଚିମ ଏସିଆରେ ଶାନ୍ତି ପ୍ରକ୍ରିୟାକୁ ଗଭୀର ଆଘାତ ଦେଇଛି ଏବଂ ଆଗାମୀ ଦିନରେ ସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା ରହିଛି।
