Gujarat Farmers’ Agitation Collapses: ରାଜନୈତିକ ଲଢ଼େଇରେ ବଳିପଡ଼ିଲା କୃଷକ ଆନ୍ଦୋଳନ, ସବୁ ହେଲା ଭଣ୍ଡୁର, କଂଗ୍ରେସ ଓ ଆପ୍ ଦୋଷା ଲଦାଲଦି
ଅହମଦାବାଦ:ଅହମଦାବାଦରେ ମଙ୍ଗଳବାର ଦିନ ଏକ ବଡ଼ ଧରଣର କୃଷକ ଆନ୍ଦୋଳନ ହଠାତ୍ ନାଟକୀୟ ଭାବେ ଶେଷ ହୋଇଛି। କଂଗ୍ରେସ ଏବଂ ଆମ ଆଦ୍ମୀ ପାର୍ଟି (ଆପ୍) ମଧ୍ୟରେ ଲାଗିଥିବା ରାଜନୈତିକ ବିବାଦ ଯୋଗୁ ଏହି ଆନ୍ଦୋଳନ ସମ୍ପୂର୍ଣ୍ଣ ଭାବେ ଭଣ୍ଡୁର ହୋଇଛି।
ମଧ୍ୟାହ୍ନ ସମୟରେ ଆନ୍ଦୋଳନ ଏହାର ଚରମ ସୀମାରେ ଥିଲା। ହଜାର ହଜାର ଚାଷୀ ଏଥିରେ ଅଂଶଗ୍ରହଣ କରି ସରକାରଙ୍କ ଉପରେ କୃଷି ସମ୍ବନ୍ଧୀୟ ଦାବି ପୂରଣ ପାଇଁ ଚାପ ସୃଷ୍ଟି କରୁଥିଲେ। କିନ୍ତୁ ସନ୍ଧ୍ୟା ସୁଦ୍ଧା ଏହି ଆନ୍ଦୋଳନ ଭାଗ ଭାଗ ହୋଇଯିବାରୁ ଚାଷୀମାନେ ନିରାଶ ହୋଇ ଖାଲି ହାତରେ ଘରକୁ ଫେରିବାକୁ ବାଧ୍ୟ ହୋଇଥିଲେ। ଏସବୁ ଘଟିଲା ବିଜେପି ଓ କଂଗ୍ରେସ ମଧ୍ୟରେ ଦୋଷ ଲଦାଲଦି ପାଇଁ। ଗୁଜରାଟରେ କୃଷକ ଆନ୍ଦୋଳନକୁ ନେଇ କଂଗ୍ରେସ ଓ ଆପ୍ (AAP) ମଧ୍ୟରେ କାଦୁଅ ଫିଙ୍ଗା ପର୍ବ ଜାରି ରହିଛି, ଯାହାର ପରିଣାମ ସ୍ୱରୂପ ଚାଷୀଙ୍କ ଆନ୍ଦୋଳନ ବିଫଳ ହୋଇଛି।
କଂଗ୍ରେସର ଅଭିଯୋଗ:କଂଗ୍ରେସ ନେତା ଲାଲଜୀ ଦେଶାଇ ଅଭିଯୋଗ କରିଛନ୍ତି ଯେ ଆନ୍ଦୋଳନ ଶୃଙ୍ଖଳିତ ଏବଂ ଆଇନଗତ ଭାବେ ଚାଲିଥିଲା। ସରକାର ଆଲୋଚନା ପାଇଁ ପ୍ରସ୍ତୁତ ହୋଇସାରିଥିଲେ, କିନ୍ତୁ ଆପ୍ କର୍ମୀମାନେ ସ୍ଥାନରେ ପହଞ୍ଚି ଅଶାନ୍ତି ସୃଷ୍ଟି କଲେ, ଯାହା ଆନ୍ଦୋଳନକୁ ଭଣ୍ଡୁର କରିଦେଲା। ସେ କହିଛନ୍ତି ଯେ ଆରମ୍ଭରୁ ହିଁ ବିଜେପି, ଭାରତୀୟ କିଷାନ ସଂଘ ଏବଂ ଆପ୍ କର୍ମୀଙ୍କୁ ଦୂରେଇ ରହିବାକୁ କୁହାଯାଇଥିଲା। ଏହାଛଡ଼ା, ଆପ୍ କାରଣରୁ ଚାଷୀଙ୍କୁ ପୋଲିସର ମାଡ଼ ଖାଇବାକୁ ପଡ଼ିଲା ବୋଲି ସେ ଦାବି କରିଛନ୍ତି।
Also Read- ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି
ଆପ୍ (AAP)ର ପାଲଟା ଜବାବ:ଅନ୍ୟପକ୍ଷରେ, ଆପ୍ ମୁଖପାତ୍ର ଯୋଗେଶ ଜଡୱାନୀ କଂଗ୍ରେସକୁ “କପଟୀ” ବୋଲି ସମ୍ବୋଧନ କରି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଚାଷୀଙ୍କ ସହ ବିଶ୍ୱାସଘାତକତା କରିଛି। ଚାଷୀଙ୍କୁ ଗାନ୍ଧୀନଗର ଅଭିମୁଖେ ଯିବାକୁ କୁହାଯାଇଥିଲା, ମାତ୍ର କଂଗ୍ରେସ ନେତୃତ୍ୱ ଚତୁରତାର ସହ ଆନ୍ଦୋଳନକୁ ଏକ ରାଜନୈତିକ ସଭା ଆଡ଼କୁ ମୋଡ଼ି ଦେଇଥିଲେ।
ଆନ୍ଦୋଳନର ପରିଣାମ:ଏହି ରାଜନୈତିକ କାଦୁଅ ଫିଙ୍ଗା ଚାଲିଥିବା ବେଳେ ଚାଷୀଙ୍କ ପ୍ରକୃତ ସମସ୍ୟା ଗୌଣ ହୋଇଯାଇଛି। ଆନ୍ଦୋଳନଟି କେବଳ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତାରେ ବଳି ପଡ଼ିଛି। ଆନ୍ଦୋଳନର ଏଭଳି ହଠାତ୍ ବନ୍ଦ ହୋଇଯିବା ଯୋଗୁ ଚାଷୀମାନେ ଅତ୍ୟନ୍ତ କ୍ଷୁବ୍ଧ ଓ ନିରାଶ ଅଛନ୍ତି, ଏବଂ ସେମାନଙ୍କ ଦାବିଗୁଡ଼ିକ ଏବେ ବି ଅସମାହିତ ହୋଇ ରହିଛି।
