Voice of Eastern India

କଞ୍ଚା ନା ସିଝା ଅଣ୍ଡା: କେଉଁଥିରୁ ମିଳେ ଅଧିକ ପ୍ରୋଟିନ୍? ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ କେଉଁଟି ହିତକର


ଭୁବନେଶ୍ୱର: ଶରୀରକୁ ସୁସ୍ଥ ରଖିବା ଏବଂ ପ୍ରୋଟିନ୍ର ଚାହିଦା ପୂରଣ କରିବା ପାଇଁ ଅଣ୍ଡା ଏକ ଶସ୍ତା ଓ ସହଜ ଉପାୟ। ସାଧାରଣତଃ ଜିମ୍ ଯାଉଥିବା ଯୁବକ କିମ୍ବା ଫିଟ୍ନେସ୍ ପ୍ରତି ସଚେତନ ଥିବା ଲୋକମାନେ ଦୈନନ୍ଦିନ ଖାଦ୍ୟପେୟରେ ଅଣ୍ଡା ସାମିଲ କରିଥାନ୍ତି। ତେବେ ଅନେକ ସମୟରେ କଞ୍ଚା ଅଣ୍ଡା ଖାଇବା ଭଲ ନା ସିଝା (ଉବଲା) ଅଣ୍ଡା ଖାଇବା ଲାଭଦାୟକ, ତାହାକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଏ।

ଏହି ଦ୍ଵନ୍ଦ୍ଵକୁ ଦୂର କରିଛନ୍ତି ପ୍ରସିଦ୍ଧ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ଶୁଭମ୍ ବାତ୍ସ୍ୟ। ସେ ସ୍ପଷ୍ଟ କରିଛନ୍ତି ଯେ ପ୍ରୋଟିନ୍ ହଜମ ଏବଂ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ କେଉଁ ଅଣ୍ଡା ଶରୀର ପାଇଁ ଅଧିକ ଉପଯୋଗୀ।

କଞ୍ଚା ଅଣ୍ଡାରୁ ମିଳେନି ପୂରା ପ୍ରୋଟିନ୍

ଗବେଷଣାରୁ ଜଣାପଡ଼ିଛି ଯେ, କଞ୍ଚା ଅଣ୍ଡାରେ ଥିବା ପ୍ରୋଟିନ୍ର ମାତ୍ର ୫୦ ପ୍ରତିଶତ ହିଁ ଆମ ଶରୀର ହଜମ କରିପାରିଥାଏ। ଅର୍ଥାତ୍ କଞ୍ଚା ଅଣ୍ଡା ଖାଇଲେ ଶରୀର ଅଧା ପ୍ରୋଟିନ୍ ମଧ୍ୟ ଠିକ୍ଭାବେ ଶୋଷଣ କରିପାରେନାହିଁ। ଅନ୍ୟପଟେ, ଅଣ୍ଡାକୁ ସିଝାଇ କିମ୍ବା ରାନ୍ଧି ଖାଇଲେ ଏଥିରେ ଥିବା ପ୍ରୋଟିନ୍ର ପ୍ରାୟ ୯୦ ରୁ ୯୫ ପ୍ରତିଶତ ଅଂଶ ଶରୀର ଦ୍ୱାରା ସହଜରେ ହଜମ ଓ ବ୍ୟବହୃତ ହୋଇଥାଏ।

ରାନ୍ଧିବା ଦ୍ୱାରା ପ୍ରୋଟିନର ଗଠନ

ଡାକ୍ତରଙ୍କ ଅନୁଯାୟୀ, ଅଣ୍ଡାକୁ ରାନ୍ଧିବା ଦ୍ୱାରା ଏହାର ପ୍ରୋଟିନ୍ ନଷ୍ଟ ହୁଏନାହିଁ, ବରଂ ଏହାର ଗଠନ ଭଲ ଭାବେ ହୋଇଥାଏ। ଉତ୍ତାପ ଯୋଗୁଁ ପ୍ରୋଟିନ୍ର ଜଟିଳ ଗଠନ ଖୋଲିଯାଏ, ଯାହା ଦ୍ୱାରା ଆମ ପାଚନ ଏଞ୍ଜାଇମ୍ ଏହାକୁ ସହଜରେ ଭାଙ୍ଗି ହଜମ କରିପାରନ୍ତି। ଏହାଛଡ଼ା କଚ୍ଚା ଅଣ୍ଡାରେ ‘ଏଭିଡିନ୍’ ନାମକ ପ୍ରୋଟିନ୍ ଥାଏ, ଯାହା ଶରୀରରେ ବିଟାମିନ୍ B7 (ବାୟୋଟିନ୍) ଶୋଷଣରେ ବାଧା ସୃଷ୍ଟି କରେ। ଅଣ୍ଡା ସିଝାଇବା ଦ୍ୱାରା ଏହି ଏଭିଡିନ୍ ନଷ୍ଟ ହୋଇଯାଏ।

ସାଲ୍ମୋନେଲା ସଂକ୍ରମଣର ଭୟ

କଞ୍ଚା ଅଣ୍ଡା ଖାଇବାର ସବୁଠାରୁ ବଡ଼ ବିପଦ ହେଉଛି ‘ସାଲ୍ମୋନେଲା’ ନାମକ ବ୍ୟାକ୍ଟେରିଆ ସଂକ୍ରମଣ। ଏହି ବ୍ୟାକ୍ଟେରିଆ ଯୋଗୁଁ ଝାଡ଼ା, ଫୁଡ୍ ପଏଜନିଂ, ବାନ୍ତି ଏବଂ ଜ୍ୱର ଭଳି ସମସ୍ୟା ଦେଖାଦେଇପାରେ। ଅଣ୍ଡାକୁ ଉତ୍ତମ ଭାବେ ସିଝାଇଲେ କିମ୍ବା ରାନ୍ଧିଲେ ଏହି କ୍ଷତିକାରକ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଆନ୍ତି।

ଆଖି ପାଇଁ ଭଲ ସିଝା ଅଣ୍ଡା

ଅଣ୍ଡା ସିଝାଇବା ଦ୍ୱାରା ଏଥିରେ ଥିବା ‘ଲ୍ୟୁଟିନ୍’ ଏବଂ ‘ଜେକ୍ସାନ୍ଥିନ୍’ ଭଳି ଆଣ୍ଟି-ଅକ୍ସିଡାଣ୍ଟଗୁଡ଼ିକର କାର୍ଯ୍ୟକାରିତା ବୃଦ୍ଧି ପାଏ। ଏଗୁଡ଼ିକ ଆମ ଆଖିର ସ୍ୱାସ୍ଥ୍ୟ ବଜାୟ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି।

କେଉଁ ଉପାୟରେ ଖାଇବେ ଅଣ୍ଡା ?

ସ୍ୱାସ୍ଥ୍ୟ, ନିରାପତ୍ତା, ପ୍ରୋଟିନ୍ ଏବଂ ପାଚନ ଦୃଷ୍ଟିରୁ ସିଝା ଅଣ୍ଡା, ଅମ୍ଲେଟ୍ ଖାଇବା ସବୁଠାରୁ ଉତ୍ତମ ବିକଳ୍ପ। ତେଣୁ କଞ୍ଚା ଅଣ୍ଡା ବଦଳରେ ସିଝା ଅଣ୍ଡାକୁ ନିଜ ଆହାରରେ ସାମିଲ କରିବା ସ୍ଵାସ୍ଥ୍ୟ ପକ୍ଷେ ହିତକର।

Source link



Source link

Leave A Reply

Your email address will not be published.