ଇମ୍ଫାଲ: ମଣିପୁରର ଉଖରୁଲ୍ ଜିଲ୍ଲାରେ ସୋମବାର ସନ୍ଦିଗ୍ଧ ଉଗ୍ରବାଦୀମାନେ ସେନାର କନଭୟ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୪୦ ଆସାମ ରାଇଫଲ୍ସର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି । ଏହି ଆକ୍ରମଣ ପରେ ଯବାନ ଓ ଉଗ୍ରବାଦୀଙ୍କ ମଧ୍ୟରେ ଅନେକ ସମୟ ଧରି ଗୁଳିବିନିମୟ ହୋଇଥିଲା । ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି ।
ସହିଦ ଦୁଇ ଯବାନ ହେଲେ, ୱାରେଣ୍ଟ ଅଫିସର ବଲୱନ୍ତ ସିଂହ ଏବଂ ରାଇଫଲମ୍ୟାନ ସିଏମ ସିଂହ । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆକ୍ରମଣରେ ଦୁଇ ଜଣ ଗମ୍ଭୀର ଭାବେ ଆହତ ହୋଇଥିଲେ ଏବଂ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେମାନଙ୍କର ମୃତ୍ୟୁ ଘଟିଥିଲା ।
ସୁରକ୍ଷା ଅଧିକାରୀଙ୍କ କହିବା ଅନୁସାରେ, ୪୦ ଆସାମ ରାଇଫଲ୍ସର ଏକ କନଭୟ ନିଜ କ୍ୟାମ୍ପରୁ ଏକ ପୋଲିସ ଷ୍ଟେସନ ଆଡ଼କୁ ଯାଉଥିଲା । ଶାଙ୍ଗଶାକ ନିକଟସ୍ଥ ନୁଙ୍ଗଶାଙ୍ଗ କୋଙ୍ଗ ଗାଁ ପାଖରେ ଏହି ଆକ୍ରମଣ ହୋଇଥିଲା । ସନ୍ଦିଗ୍ଧ ଉଗ୍ରବାଦୀମାନେ ପୂର୍ବରୁ ହିଁ ରାସ୍ତାରେ ଥିବା ଏକ ପୋଲର ଦୁଇ ପାଖରେ ତିନୋଟି ଆଇଇଡି ଖଞ୍ଜି ରଖିଥିଲେ।
ସେହି ରାସ୍ତା ଦେଇ ଗାଡ଼ି ଯିବା ବେଳେ ଦୁଇଟି ଆଇଇଡି ବିସ୍ଫୋରଣ ହୋଇଥିଲା । ଏହା ପରେ ବିଭିନ୍ନ ଦିଗରୁ ପ୍ରବଳ ଗୁଳିବର୍ଷଣ ଆରମ୍ଭ ହୋଇଯାଇଥିଲା । ଏହା ଏକ ଯୋଜନାବଦ୍ଧ ଆକ୍ରମଣ ଥିଲା । ଆସାମ ରାଇଫଲ୍ସର ଯବାନମାନେ ତୁରନ୍ତ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ପ୍ରାୟ ଏକ ଘଣ୍ଟା ଧରି ଦୁଇ ପକ୍ଷ ମଧ୍ୟରେ ପ୍ରବଳ ଗୁଳିବିନିମୟ ହୋଇଥିଲା ।
ଆହତ ଯବାନମାନଙ୍କୁ ପ୍ରଥମେ ଶାଙ୍ଗଶାକସ୍ଥିତ ଆସାମ ରାଇଫଲ୍ସ କ୍ୟାମ୍ପରେ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ଅଧିକ ଚିକିତ୍ସା ପାଇଁ ପଠାଯାଇଥିଲା । କିନ୍ତୁ ସେମାନଙ୍କୁ ବଞ୍ଚାଯାଇ ପାରି ନ ଥିଲା । ଏହି ଘଟଣାରେ ସମ୍ପୃକ୍ତ ଦାୟୀ ଉଗ୍ରବାଦୀମାନଙ୍କୁ ଧରିବା ପାଇଁ ସୁରକ୍ଷା ବଳ ପକ୍ଷରୁ ଏକ ବଡ଼ ଧରଣର କମ୍ବିଂ ଅପରେସନ ଆରମ୍ଭ କରାଯାଇଛି ।
ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲା ଏହି ଆକ୍ରମଣକୁ କଡ଼ା ଭାବେ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ ସମାଜରେ ଏଭଳି ହିଂସାର କୌଣସି ସ୍ଥାନ ନାହିଁ ଏବଂ ଏହା ଶାନ୍ତି ପ୍ରତିଷ୍ଠା ପାଇଁ ସରକାରଙ୍କ ପ୍ରୟାସକୁ ଦୁର୍ବଳ କରିପାରିବ ନାହିଁ । ମଣିପୁରର ଗୃହମନ୍ତ୍ରୀ ଗୋବିନ୍ଦଦାସ ମଧ୍ୟ ଏହି ଘଟଣାକୁ ନିନ୍ଦା କରି, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
