Voice of Eastern India

ଯୁଦ୍ଧ ଅଭ୍ୟାସ ପୂର୍ବରୁ କିମ୍‌ଙ୍କ ମିସାଇଲ୍ ଚେତାବନୀ ! ସି ଅଫ୍ ଜାପାନ ଆଡ଼କୁ ଛାଡ଼ିଲେ ସବୁଠୁ ଘାତକ ଅସ୍ତ୍ର


ସିଓଲ: ଆମେରିକା ଓ ଦକ୍ଷିଣ କୋରିଆର ବଡ଼ ସାମରିକ ଅଭ୍ୟାସ ଆରମ୍ଭ ହେବାକୁ ଥିବାବେଳେ ପୁଣିଥରେ ବାଲିଷ୍ଟିକ୍ ମିସାଇଲ୍ ପରୀକ୍ଷଣ କରିଛି ଉତ୍ତର କୋରିଆ। ବୁଧବାର ସକାଳେ ଉତ୍ତର କୋରିଆର ୱନସାନ ଅଞ୍ଚଳରୁ ସି ଅଫ୍ ଜାପାନ ଦିଗକୁ ଏହି ମିସାଇଲ୍ ଉତକ୍ଷେପଣ କରାଯାଇଥିବା ଦକ୍ଷିଣ କୋରିଆ ଓ ଜାପାନ ପକ୍ଷରୁ ସୂଚନା ମିଳିଛି।

ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍ସ ଅଫ୍ ଷ୍ଟାଫଙ୍କ ଅନୁସାରେ, ସ୍ଥାନୀୟ ସମୟ ପ୍ରାୟ ସକାଳ ୬ଟାରେ ମିସାଇଲ୍ ଲଞ୍ଚ କରାଯାଇଥିଲା। ଏହା ୭୦୦ କିଲୋମିଟରରୁ ଅଧିକ ଦୂର ଅତିକ୍ରମ କରି ସମୁଦ୍ରରେ ପଡ଼ିଥିଲା। ମିସାଇଲ୍ଟି ଜାପାନର ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍ (EEZ) ବାହାରେ ପଡ଼ିଥିବା ଜାପାନ ପକ୍ଷରୁ କୁହାଯାଇଛି।

ଏହି ଘଟଣା ପରେ ଦକ୍ଷିଣ କୋରିଆ ନିଜର ନଜରଦାରୀ ବ୍ୟବସ୍ଥାକୁ ଆହୁରି ମଜବୁତ କରିଛି। ଆମେରିକା ଓ ଜାପାନ ସହ ଲଗାତାର ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ କରାଯାଉଛି। ଗତ ଏକ ସପ୍ତାହରୁ କମ୍ ସମୟ ମଧ୍ୟରେ ଉତ୍ତର କୋରିଆର ଏହା ଦ୍ୱିତୀୟ ବାଲିଷ୍ଟିକ୍ ମିସାଇଲ୍ ପରୀକ୍ଷଣ।

ଆମେରିକା ଓ ଦକ୍ଷିଣ କୋରିଆ ଆସନ୍ତା ୧୭ ଅଗଷ୍ଟରୁ ‘ଉଲଚି ଫ୍ରିଡମ୍ ଶିଲ୍ଡ’ ସାମରିକ ଅଭ୍ୟାସ ଆରମ୍ଭ କରିବେ। ଏହି ଅଭ୍ୟାସ ୨୭ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ଏଥିରେ ପ୍ରାୟ ୧୮ ହଜାର ଦକ୍ଷିଣ କୋରିଆ ସୈନିକ ଅଂଶଗ୍ରହଣ କରିବେ।

ଚଳିତ ବର୍ଷର ସାମରିକ ଅଭ୍ୟାସରେ ଡ୍ରୋନ୍, GPS ଜାମିଂ ଏବଂ ସାଇବର ଆକ୍ରମଣ ଭଳି ଆଧୁନିକ ଯୁଦ୍ଧର ଚ୍ୟାଲେଞ୍ଜର ମୁକାବିଲା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ଆମେରିକା ଓ ଦକ୍ଷିଣ କୋରିଆ ଏହାକୁ ଏକ ପ୍ରତିରକ୍ଷାତ୍ମକ ଅଭ୍ୟାସ ବୋଲି କହୁଥିବାବେଳେ ଉତ୍ତର କୋରିଆ ଦୀର୍ଘଦିନ ଧରି ଏହାକୁ ନିଜ ବିରୋଧରେ ସମ୍ଭାବ୍ୟ ଆକ୍ରମଣର ପ୍ରସ୍ତୁତି ବୋଲି ଅଭିଯୋଗ କରିଆସୁଛି।

ଏହା ପୂର୍ବରୁ ଅଗଷ୍ଟ ୬ ତାରିଖରେ ମଧ୍ୟ ଉତ୍ତର କୋରିଆ ଏକ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ୍ ପରୀକ୍ଷଣ କରିଥିଲା। ଏବେ ପୁଣି ମିସାଇଲ୍ ପରୀକ୍ଷଣ କରି ପ୍ୟୋଙ୍ଗୟାଙ୍ଗ ଆମେରିକା-ଦକ୍ଷିଣ କୋରିଆର ସାମରିକ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିଥିବାର ସଙ୍କେତ ଦେଇଛି।

also read- ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ; ଆକାଶରେ ଦିଶିବ ମହାଜାଗତିକ ଦୃଶ୍ୟ, କିଛି ସମୟ ପାଇଁ ଦିନ ହୋଇଯିବ ରାତି

ବିଶେଷଜ୍ଞମାନଙ୍କ ମତରେ, ଆମେରିକା ଓ ଦକ୍ଷିଣ କୋରିଆର ସାମରିକ ଅଭ୍ୟାସ ସମୟରେ ଉତ୍ତର କୋରିଆ ପ୍ରାୟତଃ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରିବା ସହ ତୀବ୍ର ବୟାନ ଦେଇଥାଏ। ତେଣୁ ଏହି ମିସାଇଲ୍ ପରୀକ୍ଷଣକୁ ଆଗାମୀ ସାମରିକ ଅଭ୍ୟାସ ପ୍ରତି ପ୍ୟୋଙ୍ଗୟାଙ୍ଗର ଜବାବ ଭାବେ ଦେଖାଯାଉଛି।

ଉତ୍ତର କୋରିଆ ଓ ଜାପାନ ମଧ୍ୟରେ ମଧ୍ୟ ଉତ୍ତେଜନା ବଢ଼ୁଛି। ଜାପାନର ନୂଆ ପ୍ରତିରକ୍ଷା ନୀତି ଏବଂ ସାମରିକ ଶକ୍ତି ବୃଦ୍ଧିକୁ ପ୍ୟୋଙ୍ଗୟାଙ୍ଗ ତୀବ୍ର ସମାଲୋଚନା କରିଛି। ଜାପାନ ନିଜକୁ ଉତ୍ତର କୋରିଆର ଧମକରୁ ସୁରକ୍ଷିତ ରଖିବା ନାମରେ ଅସ୍ତ୍ରଶସ୍ତ୍ର ବଢ଼ାଉଥିବା ଅଭିଯୋଗ କରୁଛି ଉତ୍ତର କୋରିଆ।

Watch Video:-

Source link



Source link

Leave A Reply

Your email address will not be published.