Voice of Eastern India

ଧର୍ମ ବଡ଼ ନା ମାନବିକତା ? ଧର୍ମ ବଦଳାଇଥିବାରୁ ମୃତ ବୃଦ୍ଧଙ୍କୁ ଶ୍ମଶାନ ମନା


ରାୟଗଡା: ଧର୍ମ ବଡ଼ ନା ମାନବିକତା ? ଏ ପ୍ରଶ୍ନ ପଚାରିବାର କାରଣ ଦୀର୍ଘ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିବା ଜଣେ ମୃତ ମଣିଷ ପାଇଁ। ମଣିଷ ବଞ୍ଚିଥିବା ବେଳେ ତାର ପରିଚୟକୁ ନେଇ ବିବାଦ ତ ଆପଣ ଅନେକ ଦେଖିଥିବେ। ହେଲେ ମୃତ୍ୟୁ ପରେ ବି ମଣିଷ ଶବ ସହ ସାମାଜିକ ବାସନ୍ଦର ଚିତ୍ର ବୋଧହୁଏ ସଭ୍ୟ ସମାଜକୁ ଆନ୍ଦୋଳିତ କରେ। ଠିକ୍ ଏଭଳି ଏକ ଅଭାବନୀୟ ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲାରୁ।

ରାୟଗଡ଼ା ବ୍ଲକ ଗାଜିଗାଁରେ ଦେଖିବାକୁ ମିଳିଛି ମାନବିକତାକୁ ଦୋହଲାଇ ଦେଲା ଭଳି ଦୃଶ୍ୟ। ଧର୍ମ ପରିବର୍ତ୍ତନ କରିଥିବା କାରଣରୁ ଜଣେ ୬୫ ବର୍ଷୀୟ ଆଦିବାସୀ ବୃଦ୍ଧଙ୍କୁ ଶେଷକୃତ୍ୟ ପାଇଁ ଶ୍ମଶାନ ମିଳିଲାନି। ମୃତକ ଜଣକ ହେଉଛନ୍ତି ଗାଁର ଜାକାକା ଦାମ।

ସୂଚନା ଅନୁଯାୟୀ, ଦାମ ପ୍ରାୟ ୪-୫ ବର୍ଷ ତଳେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିଲେ। ଗତ କିଛି ମାସ ହେବ ସେ ଅସୁସ୍ଥ ଥିବା ବେଳେ ଗୁରୁବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର ଲୋକେ ଖ୍ରୀଷ୍ଟ ଧର୍ମର ରୀତିନୀତି ଅନୁଯାୟୀ ସ୍ଥାନୀୟ ଶ୍ମଶାନରେ ଶବ ସତ୍କାର ବା କବର ଦେବା ପାଇଁ ପ୍ରସ୍ତୁତି କରୁଥିବା ବେଳେ ଏହାକୁ ସାମ୍ନାକୁ ଆସି ବିରୋଧ କରିଥିଲେ ଗ୍ରାମବାସୀ।

ଗ୍ରାମବାସୀଙ୍କ କହିବା କଥା, ଏହି ଶ୍ମଶାନ କେବଳ ପାରମ୍ପରିକ ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ। ଏଠାରେ କେବଳ ଶବ ଦାହ କରାଯାଏ, କବର ଦେବା ନିୟମ ନାହିଁ। ଧର୍ମ ବଦଳାଇ ସାରିଥିବାରୁ ତାଙ୍କୁ ଏଠାରେ କବର ଦେବାକୁ ଦିଆଯିବ ନାହିଁ।

ଗୋଟିଏ ପଟେ ସ୍ଥାନୀୟ ପରମ୍ପରା ଅନୁଯାୟୀ ଗାଁରେ କାହାର ମୃତ୍ୟୁ ହେଲେ ଚୁଲି ଜଳେ ନାହିଁ କି ରୋଷେଇ ହୁଏ ନାହିଁ। ତେଣୁ ସାରା ଗାଁରେ ରୋଷେଇ ବନ୍ଦ ରହିଛି। ଅନ୍ୟପଟେ ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଶବ ସତ୍କାର ପାଇଁ ଶ୍ମଶାନ ମିଳିପାରିନାହିଁ।

ଦିନସାରା ଗାଁରେ ବୈଠକ ପରେ ବୈଠକ ବସିଛି, କିନ୍ତୁ କୌଣସି ସମାଧାନର ବାଟ ବାହାରି ପାରିନାହିଁ। ମୃତ ଦାମଙ୍କର ୩ ପୁଅ ଓ ସମ୍ପର୍କୀୟ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏନେଇ ପ୍ରଶାସନ କିମ୍ବା ପୋଲିସ ନିକଟରେ କୌଣସି ଆନୁଷ୍ଠାନିକ ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

ଏହି ପ୍ରଶ୍ନ ଏବେ ଗାଜିଗାଁର ପ୍ରତିଟି ଘରେ ଗୁଞ୍ଜରିତ ହେଉଛି। ଧର୍ମ ବଡ଼ ନା ମାନବିକତା ? ପ୍ରଶାସନ ଏହି ସଂବେଦନଶୀଳ ଘଟଣାରେ ହସ୍ତକ୍ଷେପ କରି କେବେ ସମାଧାନ କରୁଛି। ଜଣେ ମୃତ ବ୍ୟକ୍ତିଙ୍କୁ କେମିତି ସମ୍ମାନର ସହ ଅନ୍ତିମ ବିଦାୟ ମିଳୁଛି, ତାହା ଦେଖିବାକୁ ବାକି ରହିଲା।”

Source link



Source link

Leave A Reply

Your email address will not be published.