ତରତଲା : କୋଲକାତା ତରତଲା ଅଞ୍ଚଳରେ ବୁଧବାର ଘଟିଥିବା ଭୟାନକ ଦୁର୍ଘଟଣା ସାରା ସହରକୁ ସ୍ତବ୍ଦ କରିଦେଇଛି। ଏକ ନିର୍ମାଣାଧୀନ ଚା ଗୋଦାମ ସେଡ୍ ଅଚାନକ ଭୁଶୁଡି ପଡିଛି। ଦୁର୍ଘଟଣା ସମୟରେ ସେଡ୍ ତଳେ ପାଖାପାଖି ୫୦-୬୦ ଜଣ ଶ୍ରମିକ କାମ କରୁଥିଲେ। ଭାରି ଲୁହା ବିମ୍, କଂକ୍ରିଟ ଓ ଟିଣ ଛାତ ଶ୍ରମିକଙ୍କ ଉପରେ ମାଡ଼ି ବସିଛି। ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି, କୁହାଯାଉଛି ଏପର୍ଯ୍ୟନ୍ତ ୨୧ ଜଣ ଉଦ୍ଧାର ହେଲେଣି। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ଦମକଳ, ପୋଲିସ, ସେନା ଓ ସ୍ଥାନୀୟ ପ୍ରଶାସନର ଉଦ୍ଧାରକାରୀ ନିୟୋଜିତ ହୋଇଛନ୍ତି।
ଉଦ୍ଧାର କାର୍ଯ୍ୟ ନିମନ୍ତେ ଭର୍ଟିକାଲ ଡ୍ରିଲିଂ, ହାଇଡ୍ରୋଲିକ୍ କ୍ରେନ, ଗ୍ୟାସ୍ କଟର ଓ ଡ୍ରୋନ ଉପଯୋଗ ହେଉଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ନବନ୍ନାରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଏହି ଦୁର୍ଘଟଣା ପାଇଁ ବିଜେପି ବିଧାୟକ ଶମ୍ଭୁ ନାଥ ବେହେରା ମୁଖ୍ୟ ଅଭିଯୁକ୍ତ ବୋଲି କହିଛନ୍ତି। ଏବେ ପ୍ରଶ୍ନ ଉଠୁଛି ସମ୍ଭୁନାଥ ବେହେରା କିଏ ଓ ଏହି ଦୁର୍ଘଟଣା ପଛରେ ତାଙ୍କ ଭୂମିକା କ’ଣ?
ଏହି ନିର୍ମାଣାଧୀନ ଗୋଦାମର ଶମ୍ଭୁନାଥ ବେହେରା ଠିକାଦାର ଅଥବା ସାଇଟ୍ ଇନ-ଚାର୍ଜ ବୋଲି କୁହାଯାଉଛି। ସ୍ଥାନୀୟ ସୂତ୍ର ଓ ପ୍ରାରମ୍ଭିକ ଯାଞ୍ଚ ଅନୁସାରେ ଶମ୍ଭୁନାଥ ଗତ ପ୍ରାୟ ଦେଢ ବର୍ଷ ହେଲା ପ୍ରକଳ୍ପ ସହ ଜଡିତ। ଏହି ଗୋଦାମଟି ଅକ୍ଟୋବିୟସ ଟି ଆଣ୍ଡ ଇଣ୍ଡଷ୍ଟ୍ରିଜ ନାମକ ଏକ ବନ୍ଦ ପଡିଥିବା କାରଖାନା ପରିସରରେ ନିର୍ମାଣ ହେଉଥିଲା, ଯାହାକୁ ବନ୍ଦର ପ୍ରାଧିକରଣ ପଟ୍ଟାରେ ଏକ ଚା କମ୍ପାନୀକୁ ଦେଇଥିଲେ। ସ୍ଥାନୀୟ ବିଧାୟକ ରାକେଶ ସିଂହ କହିଛନ୍ତି ଯେ ସକାଳେ ନିର୍ମାଣ ଷ୍ଟ୍ରକ୍ଚର ହଲୁଥିଲା, ଏହା ସତ୍ତ୍ୱେ ଏଥିରେ କାମ ଆରମ୍ଭ କରାଯାଇଥିଲା। ପୋଲିସ ଓ ପ୍ରଶାସନ ମାମଲାରେ ଶମ୍ଭୁନାଥ ବେହେରାର ଭୂମିକା ଏବେ ଯାଞ୍ଚ କରୁଛନ୍ତି। ତେବେ କିଛି ରିପୋର୍ଟରେ ଶମ୍ଭୁନାଥ ନିଜେ ଏହି ଦୁର୍ଘଟଣାରେ ଫଶି ରହିଥିବା ସନ୍ଦେହ କରାଯାଉଛି।
#WATCH | Kolkata, West Bengal: Under-construction godown shed collapse in Kolkata’s Taratala | West Bengal CM Suvendu Adhikari says, “The incident took place at 12:07 in the afternoon, and the rescue work started from 12:45. People from Kolkata Police, Civil Defence and KMC…… pic.twitter.com/ccw7qeUlqe
— ANI (@ANI) June 24, 2026
ମାମଲାରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ଏହି ଘଟଣା ମଧ୍ୟାହ୍ନ ୧୨ଟା ୭ ମିନିଟ୍ ରେ ହୋଇଥିଲା। ଉଦ୍ଧାର କାର୍ଯ୍ୟ ୧୨ଟା ୪୫ ମିନିଟ୍ ରେ ଆରମ୍ଭ ହୋଇଥିଲା। କୋଲକାତା ପୋଲିସ, ସିଭିଲ ଡିଫେନ୍ସ ଓ କେଏମସି ଲୋକେ ଉଦ୍ଧାର ଅଭିଯାନ ଚଳାଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ଥିବାରୁ ଏବେ କୌଣସି ବିଷୟରେ ଚୂଡ଼ାନ୍ତ ଭାବେ କିଛି କୁହାଯାଇ ପାରିବନି। ତେବେ ୨୧ ଜଣ ଉଦ୍ଧାର ହୋଇଥିବା ବେଳେ ସେଥିରୁ ୩ ଜଣଙ୍କ ମୃତ୍ୟୁ ହୋଇଛି, ୧୮ ଜଣ ଜୀବିତ ଅଛନ୍ତି ଓ ୯ ଜଣଙ୍କ ଚିକିତ୍ସା ଏସଏସକେଏମ୍ ହସ୍ପିଟାଲରେ ଚାଲିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରୋଜେକ୍ଟ ପ୍ଲାନକୁ ୧୭ ଜାନୁୟାରୀ ୨୦୨୬ରେ ମଞ୍ଜୁରୀ ମିଳିଥିଲା। ଏସଏମପିଏ ଏହି ଜମିର ମାଲିକ। ଶମ୍ଭୁ ନାଥ ବେହେରା ଓ ତାଙ୍କ ପାର୍ଟନରଙ୍କ ନାମରେ ଜମିର ଲିଜ୍ ରହିଛି। ଏହି ପ୍ରକଳ୍ପରେ କାମ କରୁଥିବା ଅଧିକାଂଶ ଶ୍ରମିକ ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଗ୍ରାମାଞ୍ଚଳର। ପ୍ରକଳ୍ପରେ ମହିଳା ମଧ୍ୟ କାମ କରୁଥିଲେ।
ତେବେ ପଶ୍ଚିମବଙ୍ଗରେ ନିର୍ମାଣ ଦୁର୍ଘଟଣା କୌଣସି ନୂଆ କଥା ନୁହେଁ। ମାର୍ଚ୍ଚ ୨୦୨୪ରେ ଗାର୍ଡେନ ରିଚରେ ଏକ ପାଞ୍ଚ ମହଲା ବିଲ୍ଡିଂ ଭୁଶୁ଼ଡି ପଡିଥିଲା। ଏହି ଘଟଣାରେ ୧୨ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ୨୦୧୬ ମସିହାରେ ବିବେକାନନ୍ଦ ଫ୍ଲାଇଓଭର ଭୁଶୁଡିଥିଲା। ଏହି ଦୁର୍ଘଟଣାରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିଲା। ସବୁ ଘଟଣାରେ ନିର୍ମାଣ ଅବହେଳା ମୁଖ୍ୟ କାରଣ ଥିଲା।
