Voice of Eastern India

ପରକୀୟା ପ୍ରୀତି ଏବଂ ବୈବାହିକ ବିବାଦ ପାଇଁ ୬ ମାସରେ ୫୫୪ ପୁରୁଷଙ୍କ ହତ୍ୟା ଓ ଆତ୍ମହତ୍ୟା ହୋଇଛି: ସର୍ଭେ ରିପୋର୍ଟରୁ ବଡ଼ ଖୁଲାସା


ନୂଆଦିଲ୍ଲୀ: ଦେଶର ଦୁର୍ବଳ ନ୍ୟାୟ ବ୍ୟବସ୍ଥାର ଫଳ କେତେ ବିକଳ ତାହା ଏକ ସର୍ଭେ ରିପୋର୍ଟରେ ଖୁଲାସା ହୋଇଛି। ଗୁରୁଗ୍ରାମ ଭିତ୍ତିକ ସ୍ୱେଚ୍ଛାସେବୀ ସଂଗଠନ ଏକମ ନ୍ୟାୟ ଫାଉଣ୍ଡେସନ (Ekam Nyaay Foundation) ପକ୍ଷରୁ ପ୍ରକାଶିତ ଏକ ଡକ୍ୟୁମେଣ୍ଟେସନ ରିପୋର୍ଟ ଅନୁସାରେ, ୨୦୨୬ ମସିହାର ପ୍ରଥମ ୬ ମାସରେ ଦେଶରେ ୫୫୪ଟି ପୁରୁଷଙ୍କର ହତ୍ୟା ଓ ଆତ୍ମହତ୍ୟା ସମ୍ପର୍କିତ ଘଟଣା ସାମ୍ନାକୁ ଆସିଛି। ଏହି ତଥ୍ୟ ଜୁଲାଇ ୧୪ ପର୍ଯ୍ୟନ୍ତ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଓ ଫାଉଣ୍ଡେସନ ସଂଗ୍ରହ କରିଥିବା ଘଟଣା ଉପରେ ଆଧାରିତ ବୋଲି ସଂସ୍ଥା ସ୍ପଷ୍ଟ କରିଛି।

ରିପୋର୍ଟ ଅନୁଯାୟୀ, ୩୨୨ଟି ଘଟଣାରେ ସ୍ୱାମୀଙ୍କୁ ସେମାନଙ୍କ ପତ୍ନୀ କିମ୍ବା ପତ୍ନୀଙ୍କ ପ୍ରେମିକଙ୍କ ସହଯୋଗରେ ହତ୍ୟା କରାଯାଇଥିବା ଅଭିଯୋଗ ରହିଛି। ସେହିପରି ୨୩୨ ଜଣ ସ୍ୱାମୀ ବୈବାହିକ ବିବାଦ, ଘରୋଇ ହିଂସା, ମାନସିକ ନିର୍ଯାତନା, ମିଥ୍ୟା ମାମଲା ଓ ଅନ୍ୟାନ୍ୟ ସମ୍ପର୍କଜନିତ କାରଣରୁ ଆତ୍ମହତ୍ୟା କରିଥିବା ଦର୍ଶାଯାଇଛି।

ଫାଉଣ୍ଡେସନ କହିଛି, ଏହି ଆକଳନ ଅନୁଯାୟୀ ୨୦୨୬ର ପ୍ରଥମ ୬ ମାସରେ ପ୍ରତିଦିନ ପ୍ରାୟ ୨ ଜଣ ସ୍ୱାମୀ ହତ୍ୟା ଏବଂ ଜଣେରୁ ଅଧିକ ସ୍ୱାମୀ ଆତ୍ମହତ୍ୟା କରିଛନ୍ତି। ତେବେ ଏହା ସରକାରୀ ଅପରାଧ ପରିସଂଖ୍ୟାନ ନୁହେଁ, କେବଳ ଗଣମାଧ୍ୟମରେ ପ୍ରକାଶିତ ଘଟଣା ଉପରେ ଆଧାରିତ ବୋଲି ସଂସ୍ଥା ସ୍ପଷ୍ଟ କରିଛି। ଅନେକ ଘଟଣା ଗଣମାଧ୍ୟମରେ ପ୍ରକାଶ ପାଉନଥିବାରୁ ପ୍ରକୃତ ସଂଖ୍ୟା ଏହାଠାରୁ ଅଧିକ ହୋଇପାରେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ପରକୀୟା ପ୍ରୀତି ସବୁଠାରୁ ବଡ଼ କାରଣ

ରିପୋର୍ଟ ଅନୁଯାୟୀ, ୩୨୨ଟି ସ୍ୱାମୀ ହତ୍ୟା ମାମଲା ମଧ୍ୟରୁ ୧୯୪ଟି (୬୦.୨%) ପରକୀୟା ପ୍ରୀତି ସହ ଜଡିତ। ଏଥିରେ ଅଭିଯୋଗ ରହିଛି ଯେ, ପତ୍ନୀମାନେ ସେମାନଙ୍କ ପ୍ରେମିକଙ୍କ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଥିଲେ, କାରଣ ସ୍ୱାମୀ ପରକୀୟା ସମ୍ପର୍କର ବିରୋଧ କରୁଥିଲେ କିମ୍ବା ସେଥିରେ ବାଧକ ସାଜୁଥିଲେ।

ଏହି ହତ୍ୟାକାଣ୍ଡରେ ବିଷ ପ୍ରୟୋଗ, ଜୀବନ୍ତ ଜାଳିଦେବା, ବିଦ୍ୟୁତ୍ ଝଟକା ଦେବା, ଶ୍ୱାସରୁଦ୍ଧ କରି ମାରିଦେବା, ଶରୀରକୁ ଖଣ୍ଡଖଣ୍ଡ କାଟିଦେବା, ଘର ତଳେ ପୋତିଦେବା ଏବଂ ହତ୍ୟାକୁ ଦୁର୍ଘଟଣା କିମ୍ବା ଆତ୍ମହତ୍ୟା ଭାବେ ଦର୍ଶାଇବା ଭଳି ପଦ୍ଧତି ବ୍ୟବହାର ହୋଇଥିବା ରିପୋର୍ଟରେ କୁହାଯାଇଛି।

Also Read- ସ୍ୱାମୀର ମୁଣ୍ଡ କାଟି ଅଲଗା କଲା ସ୍ତ୍ରୀ, ପ୍ରେମିକ ସହ ମିଶି ରଚିଥିଲା ହତ୍ୟାକାଣ୍ଡର ବ୍ଲୁ-ପ୍ରିଣ୍ଟ

ଘରୋଇ ବିବାଦ ଓ ମାନସିକ ନିର୍ଯାତନାରୁ ଆତ୍ମହତ୍ୟା

ରିପୋର୍ଟରେ ଦର୍ଶାଯାଇଥିବା ୨୩୨ଟି ଆତ୍ମହତ୍ୟା ଘଟଣା ମଧ୍ୟରୁ ୧୦୪ଟି (୪୪.୮୩%) ଦୀର୍ଘଦିନର ଘରୋଇ ବିବାଦ ସହ ଜଡିତ। ଏହାଛଡ଼ା ୫୭ଟି (୨୪.୫୭%) ଘଟଣାରେ ପତ୍ନୀ କିମ୍ବା ଶ୍ୱଶୁରଘର ପକ୍ଷରୁ ନିର୍ଯାତନାର ଅଭିଯୋଗ ରହିଛି। ୨୯ଟି (୧୨.୫%) ଘଟଣା ପରକୀୟା ସମ୍ପର୍କ ସହ ସମ୍ପୃକ୍ତ ଥିବାବେଳେ, ଅନ୍ୟ ମାମଲାଗୁଡ଼ିକରେ ମିଥ୍ୟା ଆପରାଧିକ ମାମଲା, ପ୍ରେମିକା କିମ୍ବା ତାଙ୍କ ପରିବାର ପକ୍ଷରୁ ହଇରାଣ ଓ ଅନ୍ୟାନ୍ୟ କାରଣ ରହିଥିବା କୁହାଯାଇଛି।

ଉତ୍ତର ପ୍ରଦେଶରେ ସର୍ବାଧିକ ମାମଲା

ରିପୋର୍ଟ ଅନୁଯାୟୀ, ଉତ୍ତର ପ୍ରଦେଶରେ ସର୍ବାଧିକ ୯୩ଟି ସ୍ୱାମୀ ହତ୍ୟା ଓ ୧୦୩ଟି ସ୍ୱାମୀ ଆତ୍ମହତ୍ୟା ଘଟଣା ଦାୟର ହୋଇଛି। ଏହା ପରେ ମଧ୍ୟ ପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ମହାରାଷ୍ଟ୍ର, ହରିୟାଣା, ବିହାର, କର୍ଣ୍ଣାଟକ ଓ ଗୁଜରାଟ ଭଳି ରାଜ୍ୟରେ ମଧ୍ୟ ଏପରି ଘଟଣା ଅଧିକ ଥିବା ରିପୋର୍ଟରେ ଦର୍ଶାଯାଇଛି।

୨୫ଟି ନୃଶଂସ ଘଟଣାର ଉଲ୍ଲେଖ

ଫାଉଣ୍ଡେସନ ଚଳିତ ବର୍ଷର ୨୫ଟି ଅତ୍ୟନ୍ତ ନୃଶଂସ ଘଟଣାର ବିବରଣୀ ମଧ୍ୟ ରିପୋର୍ଟରେ ସାମିଲ କରିଛି। ଏଥିରେ ସ୍ୱାମୀଙ୍କ ମୁଣ୍ଡ କାଟିଦେବା, ଶରୀରକୁ ଖଣ୍ଡଖଣ୍ଡ କରିବା, ବିଷ ଦେଇ ହତ୍ୟା, ଘର ତଳେ ପୋତିଦେବା, ଜୀବନ୍ତ ଜାଳିଦେବା, ଗଭୀର ଖାଇକୁ ଠେଲିଦେବା ଏବଂ ପତ୍ନୀ ଓ ତାଙ୍କ ପ୍ରେମିକଙ୍କ ଷଡଯନ୍ତ୍ରରେ ହତ୍ୟା ଭଳି ଅଭିଯୋଗ ରହିଛି।

ସେହିପରି ଅନେକ ଆତ୍ମହତ୍ୟା ଘଟଣାରେ ମୃତକମାନେ ସୁଇସାଇଡ୍ ନୋଟ୍ କିମ୍ବା ଭିଡିଓ ବାର୍ତ୍ତା ଛାଡ଼ି ଯାଇଥିବା ରିପୋର୍ଟରେ କୁହାଯାଇଛି। ସେଥିରେ ଦୀର୍ଘଦିନର ମାନସିକ ନିର୍ଯାତନା, ଘରୋଇ ହିଂସା, ମିଥ୍ୟା ମାମଲା, ସନ୍ତାନଙ୍କୁ ଦେଖିବାରୁ ବଞ୍ଚିତ କରାଯିବା ଓ ମାନସିକ ନିଷ୍ଠୁରତା ସମ୍ପର୍କରେ ଅଭିଯୋଗ ଥିବା ଦାବି କରାଯାଇଛି।

ସରକାରୀ ତଥ୍ୟରେ ପୃଥକ ବର୍ଗୀକରଣ ନାହିଁ

ଫାଉଣ୍ଡେସନର ପ୍ରତିଷ୍ଠାତା ଦୀପିକା ନାରାୟଣ ଭାରଦ୍ୱାଜ କହିଛନ୍ତି, ଦାୟର ହୋଇଥିବା ପ୍ରତ୍ୟେକ ମାମାଲ ଏକ ଜୀବନ ହରାଇବା ସହ ଏକ ପରିବାରର ଦୁର୍ଦ୍ଦଶାକୁ ପ୍ରତିଫଳିତ କରେ। କେତନ ଅଗରୱାଲଙ୍କ ଭଳି ଘଟଣା ପ୍ରାୟ ପ୍ରତିଦିନ ସାମ୍ନାକୁ ଆସୁଛି ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, ସରକାରୀ ଅପରାଧ ପରିସଂଖ୍ୟାନରେ ସ୍ୱାମୀ ହତ୍ୟା କିମ୍ବା ଘରୋଇ ହିଂସାର ପୁରୁଷ ପୀଡ଼ିତଙ୍କ ପାଇଁ ପୃଥକ ବର୍ଗୀକରଣ ନଥିବାରୁ ପ୍ରକୃତ ସ୍ଥିତିର ସଠିକ୍ ଆକଳନ କରିବା କଷ୍ଟକର।

Source link



Source link

Leave A Reply

Your email address will not be published.