Voice of Eastern India

ତାଙ୍କ ପାଇଁ କୋର୍ଟ ମନ୍ଦିର, ଓକିଲାତି ପୂଜା; ୧୦୦ ବର୍ଷୀୟ ଓକିଲଙ୍କୁ ମିଳିଲା ବଡ଼ ସମ୍ମାନ


ନୂଆଦିଲ୍ଲୀ: ଇଚ୍ଛାଶକ୍ତି ଆଗରେ ବୟସର ଭୂମିକା ଗୌଣ । ଏମିତି କିଛି ବ୍ୟକ୍ତି ଅଛନ୍ତି, ଯାହାଙ୍କ ପାଇଁ ବୟସ କେବଳ ଏକ ସଂଖ୍ୟା । ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ୧୦୦ ବର୍ଷୀୟ ଓକିଲ । ବର୍ତ୍ତମାନ ସମୟରେ ୧୦୦ ବର୍ଷ ବଞ୍ଚିରହିବା ବି ଏକ ଆଶୀର୍ବାଦ । କିନ୍ତୁ ଓକିଲ ପି.ବି. ମେନନ ୧୦୦ ବର୍ଷରେ ବି ଓକିଲାତି କରୁଛନ୍ତି । କୋର୍ଟରେ ଯୁକ୍ତି ବାଢ଼ୁଛନ୍ତି ଏବଂ ବଡ଼ ବଡ଼ ଜଜଙ୍କୁ ପାଣି ପିଆଇ ଦେଉଛନ୍ତି । ୭୭ ବର୍ଷ ହେଲା ସେ ମାମଲାରେ ଲଢ଼ିଆସୁଛନ୍ତି । ନ୍ୟାୟ ପ୍ରତି ତାଙ୍କର ଏହି ନିଷ୍ଠା ଲାଗି ହାଇକୋର୍ଟ ତାଙ୍କୁ ‘ସିନିୟର ଆଡଭୋକେଟ୍‌’ ମାନ୍ୟତା ଦେଇଛନ୍ତି । 

ବୟସ ଶହେ ଛୁଇଁଥିଲେ ବି ଅଦାଲତକୁ ଯିବା, ମାମଲାର କାଗଜପତ୍ର ପ୍ରସ୍ତୁତ କରିବା, ସାକ୍ଷୀମାନଙ୍କୁ ଜେରା କରିବା, line-by-line ଯୁକ୍ତି ଦର୍ଶାଇବା ଏବଂ କୋର୍ଟରେ ଶୁଣାଣିରେ ଭାଗ ନେବାରେ ତାଙ୍କର ଟିକିଏ ହେଲେ ବି ଉତ୍ସାହ କମିନାହିଁ। ନିକଟରେ କେରଳ ହାଇକୋର୍ଟ ତାଙ୍କର ଏହି ନିଷ୍ଠା ଓ ଦୀର୍ଘ ଦିନର ସେବାକୁ ସମ୍ମାନ ଜଣାଇ ତାଙ୍କୁ ‘ସିନିୟର ଆଡଭୋକେଟ୍’ ଭାବରେ ମାନ୍ୟତା ଦେଇଛନ୍ତି। ଭାରତୀୟ ଆଇନ ଇତିହାସରେ କୌଣସି ଜିଲ୍ଲା କିମ୍ବା ନିମ୍ନ ଅଦାଲତରେ ଓକିଲାତି କରୁଥିବା ଆଇନଜୀବୀଙ୍କୁ ଏପରି ବଡ଼ ସମ୍ମାନ ମିଳିବା ଏକ ବିରଳ ଘଟଣା, ସମ୍ଭବତଃ ଏହା ପ୍ରଥମ ଘଟଣା । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଯେଉଁ ଓକିଲାତି ପାଇଁ ସେ ଆଜି ସାରା ଦେଶରେ ପରିଚିତ, ସେହି ଆଇନ୍‌ ପାଠ ପଢ଼ିବା ପାଇଁ ତାଙ୍କର ଆଦୌ ଇଚ୍ଛା ନଥିଲା। 

ବାପା-ମା’ଙ୍କ ଆଜ୍ଞା ପାଳନ କରିବାକୁ ଯାଇ ସେ ଓକିଲ ହୋଇଥିଲେ । ସେତେବେଳେ ବାଧ୍ୟବାଧକତରେ ଆରମ୍ଭ ଓକିଲାତି ଜୀବନ ଆଜି ପିବି ମେନନଙ୍କ ପାଇଁ ପରମ ଧର୍ମ । ତାଙ୍କ ବାପା-ମା’ ତାଙ୍କ ବଡ଼ ଭାଇଙ୍କୁ ମେଡିକାଲ କଲେଜକୁ, ସାନ ଭାଇଙ୍କୁ ଇଞ୍ଜିନିୟରିଂ ପଢ଼ିବାକୁ ପଠାଇଥିଲେ । ମେନନ୍‌ଙ୍କୁ ଆଇନ ପଢ଼ିବାକୁ ନିର୍ଦ୍ଦେଶ ଦେଇଥିଲେ ତାଙ୍କ ବାପା-ମା । ସେତେବେଳେ ମାଡ୍ରାସ ଲ’ କଲେଜ୍ ଏକମାତ୍ର ଆଇନ କଲେଜ ଥିବାରୁ ସେ ସେଠାକୁ ଗଲେ। ପାଠପଢ଼ା ଶେଷ କରିବା ପରେ ସେ ମାଡ୍ରାସ ହାଇକୋର୍ଟର ତତ୍କାଳୀନ ଆଡଭୋକେଟ୍ ଜେନେରାଲଙ୍କ ଅଧୀନରେ ଦୁଇ ବର୍ଷ ଟ୍ରେନିଂ କରିଥିଲେ। ଏହାପରେ ବାପାଙ୍କ ଡାକରାରେ ନିଜ ଗାଁ ପାଲକଡ଼ ଫେରିଆସି ଜିଲ୍ଲା କୋର୍ଟରେ ପ୍ରାକ୍ଟିସ୍ ଆରମ୍ଭ କଲେ । ସେହିଠାରୁ ହିଁ ବାଧ୍ୟବାଧକତାରେ ଆରମ୍ଭ ହୋଇଥିବା ଆଇନ ଶିକ୍ଷା ତାଙ୍କ ଜୀବନର ଏକ ବ୍ରତରେ ପରିଣତ ହୋଇଥିଲା।

ଆରମ୍ଭରୁ ସେ ଫୌଜଦାରୀ ବା କ୍ରିମିନାଲ୍‌ ମାମଲା ପରିଚାଳନା କରୁଥିଲେ । ମାତ୍ର ଗୋଟିଏ ଘଟଣା ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା। ଥରେ ନିଜ ସିନିୟରଙ୍କ ନିର୍ଦ୍ଦେଶରେ ସେ ଗୋଟିଏ କ୍ରିମିନାଲ୍ କେସ୍ ପାଇଁ ଫୋର୍ଟ କୋଚିନ୍ ଯାଇଥିଲେ। ସେଠାରେ ଶୁଣାଣି ସରିବା ପରେ ବିଚାରପତି ତାଙ୍କୁ ନିଜ ଚ୍ୟାମ୍ବରକୁ ଡାକି କହିଥିଲେ ଯେ, କ୍ରିମିନାଲ୍ ପରିବର୍ତ୍ତେ ଦେୱାନୀ ବା ସିଭିଲ ମାମଲାରେ ତାଙ୍କର ଅଧିକ ଦକ୍ଷତା ଓ ପ୍ରତିଭା ରହିଛି। ସେହି ପରାମର୍ଶ ପରଠାରୁ ସେ କେବଳ ସିଭିଲ୍ ମାମଲା ହାତକୁ ନେଲେ ଏବଂ ଆଜି ପର୍ଯ୍ୟନ୍ତ ସିଭିଲ୍ କୋର୍ଟରେ ସଫଳତାର ସହ କାମ କରିଆସୁଛନ୍ତି।

ହାଇକୋର୍ଟଙ୍କ ଦ୍ୱାରା ମିଳିଥିବା ଏହି ‘ସିନିୟର ଆଡଭୋକେଟ୍’ ସମ୍ମାନକୁ ସେ ନିଜ ଜୀବନର ଶ୍ରେଷ୍ଠ ଗୌରବ ଭାବେ ଗ୍ରହଣ କରିଛନ୍ତି। ସାରା ଭାରତରେ ପ୍ରାୟ ୭୦୦ରୁ ଅଧିକ ବରିଷ୍ଠ ଆଇନଜୀବୀ ଅଛନ୍ତି । ମାତ୍ର ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟର। ନିମ୍ନ କୋର୍ଟରୁ ଏହି ପଦବୀ ପାଇବାରେ ସେ ସମ୍ଭବତଃ ଦେଶର ପ୍ରଥମ ଓକିଲ। ନିଜର ଏହି ସଫଳତା ପାଇଁ ସେ ନିଜ ପିତାମାତାଙ୍କ ସଠିକ୍ ନିଷ୍ପତ୍ତିକୁ ସ୍ମରଣ କରିଛନ୍ତି । ମାତ୍ର ଏହି ଖୁସିର ମୁହୂର୍ତ୍ତରେ ତାଙ୍କ ଧର୍ମପତ୍ନୀ ମାଳତୀ ମେନନ୍ ତାଙ୍କ ସହ ନଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି।

Source link



Source link

Leave A Reply

Your email address will not be published.